ମାଲକାନଗିରି,ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ସମସ୍ତ ଗ୍ରାମ ଗୁଡିକରେ ପାନୀୟ ଜଳ, ସ୍କୁଲ, ଅଙ୍ଗନବାଡି ଭିତ୍ତିଭୂମି, ପ୍ରତି ପରିବାରକୁ ପନିପରିବା ବିହନ ପୋଷଣ ଯୋଜନା ଲାଗୁ କରିବା, ରାସ୍ତାଘାଟ, ପ୍ରଧାନମନ୍ତ୍ରୀ ଆବାସ ଭଳି ବିଭିନ୍ନ ମୌଳିକ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ନିମନ୍ତେ ମହିଳା ଶ୍ରମଜୀବୀ ସଂଗଠନ, ଲୋକ ସଂଗଠନ ପକ୍ଷରୁ ଆଜି କାଲିମେଳା ବ୍ଲକର ସଭାପତି ଲକ୍ଷ୍ମୀ ମୋଟୁମଙ୍କ ନେତୃତ୍ଵରେ ଶତାଧିକ ମହିଳା ଓ ପୁରୁଷ କାଲିମେଳା ବସଷ୍ଟାଣ୍ଡ ଛକ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶାନ୍ତିପୁର୍ଣ୍ଣ ଶୋଭାଯାତ୍ରାରେ ଆସି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜାରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।
ଉକ୍ତ ଦାବୀପତ୍ରରେ ସଂଗଠନ ଉଲ୍ଲେଖ କରିଛି ଯେ, ବର୍ତମାନ ଗ୍ରୀଷ୍ମ ଛୁଟିରେ ସ୍କୁଲ ଗୁଡିକରେ ଶିକ୍ଷକଙ୍କ ଥିବା ଖାଲି ପଦବୀ ପୂରଣ କରିବା, କୋଠରୀ ମାନଙ୍କ ପୁନଃ ମରାମତି ଓ ଆବଶ୍ୟକ ସ୍ଥଳେ ନୂତନ କୋଠରୀ ନିର୍ମାଣ, ବିଦ୍ୟାଳୟ ଭିତ୍ତିକ ପାଇଖାନା ଗୁଡିକର ମରାମତି ସହ ଜଳର ବ୍ୟବସ୍ଥା, ଖେଳ ପଡିଆ, ପାଚେରୀ ଓ ସେଠାରେ ଥିବା ଜଳ ଉତ୍ସ ଗୁଡିକୁ ମରାମତି କରାଯାଉ। ପ୍ରତି ଗ୍ରାମ ଓ ପଡା ମାନଙ୍କରେ ଥିବା ଲୋକସଂଖ୍ୟା ଆଧାରରେ ନୂତନ ଅଙ୍ଗନବାଡି, ମିନି ଅଙ୍ଗନବାଡି ଖୋଲାଯାଉ। ପ୍ରତି ପରିବାରର ପୋଷଣ ରକ୍ଷା ପାଇଁ ପ୍ରତି ପରିବାରକୁ ପନିପରିବା ବିହନ ଯୋଗାଇ ଦିଆଯିବା ସହ ଗ୍ରାମ ମାନଙ୍କରେ ଘୋର ପିଇବା ପାଣି ସମସ୍ୟା ଦେଖାଦେଇଛି। ତାହାକୁ ଆଖି ଆଗରେ ରଖି ସରକାର ତୁରନ୍ତ ପ୍ରତି ଗ୍ରାମ ଗୁଡିକରେ ଥିବା ଜଳ ଉତ୍ସ ଗୁଡିକ ନିର୍ମାଣ, ମରାମତି ଓ ବିଶୋଧନ କରାଇବା ଆଦି ଦାବୀ ରହିଛି।
ଏହି ଶୋଭାଯାତ୍ରାରେ ସଂଗଠନର ସମ୍ପାଦିକ ଲକ୍ଷ୍ମୀ ମୋଟୁମଙ୍କ ସହ ବୁସୀ ମୋଟୁମ, ସୁକି କାଟମ, ସିଟି କାଟମ, ଭିମା ମାଡକାମୀ, ସନ୍ତୁର ମାଢି, ଅଞ୍ଜଳି ସୋଡି, ଦେବା ପଡିଆମୀ ଓ ମୁକୁନ୍ଦ ମାଡକାମୀ ପ୍ରମୁଖଙ୍କ ନେତୃତ୍ଵରେ ଶୋଭାଯାତ୍ରା ପରିଚାଳିତ କରାଯାଇଥିଲା। ସେହିପରି ମାଲକାନଗିରି ଠାରେ ଶ୍ରମଜୀବି ସଂଗଠନ ପକ୍ଷରୁ ସଭାପତି କସା ମାଡି, ବୁଦା ଦୁରୁଆ, ଇନ୍ଦ୍ର ଦୂରୁଆ, ଲେସୁ କବାସୀ, ରାଜେନ୍ଦ୍ର କବାସୀ, ସୀତାରାମ ଦୂରୁଆ ଓ ରାମ ବଡ଼ନାୟକଙ୍କ ନେତୃତ୍ଵରେ ସଂଗଠନର କର୍ମକର୍ତ୍ତା ମାନେ ଏକ ଶୋଭାଯାତ୍ରାରେ ଯାଇ ମାଲକାନଗିରି ବିଡ଼ିଓଙ୍କୁ ଅନୁରୂପ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ଏଥିସହ ଅଞ୍ଚଳରେ ରହିଥିବା ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ।