-
ଭୁବନେଶ୍ୱର କପିଳେଶ୍ୱର ମନ୍ଦିରର ସଂରକ୍ଷଣ ଦାୟିତ୍ୱ ଏଏସଆଇକୁ ଦିଆଯାଉ – ଧର୍ମେନ୍ଦ୍ର ପ୍ରଧାନ
-
ଏଏସଆଇର ମନ୍ଦିର ସୁରକ୍ଷା ଏବଂ ବିକାଶ ଯୋଜନାରେ କପିଳେଶ୍ୱର ମନ୍ଦିରକୁ ଅନ୍ତର୍ଭୃକ୍ତ କରିବା ପାଇଁ ବିଭାଗୀୟ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଅନୁରୋଧ
-
ସହରୀକରଣ, ପ୍ରଦୂଷଣ ସମସ୍ୟା ପାଇଁ ମନ୍ଦିରଟି ଆଜି ଅବହେଳିତ ଅବସ୍ଥାରେ ଅଛି
-
ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ଅଭାବ କାରଣରୁ ମନ୍ଦିରର ଢାଞ୍ଚା ଅବକ୍ଷୟ ହେଉଛି
ଭୁବନେଶ୍ୱର, ଭୁବନେଶ୍ୱର ସ୍ଥିତ କପିଳେଶ୍ୱର ମନ୍ଦିରର ସଂରକ୍ଷଣ ଏବଂ ଉନ୍ନତି ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ବା ଏଏସଆଇକୁ ଦାୟିତ୍ୱ ନେବାକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପ୍ରାୟ ସପ୍ତମ ଶତାବ୍ଦୀର ଏହି ପୁରାତନ ମନ୍ଦିର ସୁନ୍ଦର ଐତିହ୍ୟ, କୀର୍ତ୍ତିରାଜି ଏବଂ ଚିତ୍ରକଳା ପାଇଁ ପ୍ରସିଦ୍ଧ । ଏହି ଶୈବପୀଠ ପ୍ରମୁଖ ତୀର୍ଥସ୍ଥଳୀ ମଧ୍ୟରୁ ଅନ୍ୟତମ । ମାତ୍ର ସହରୀକରଣ, ପ୍ରଦୂଷଣ ସମସ୍ୟା ପାଇଁ ମନ୍ଦିରଟି ଆଜି ଅବହେଳିତ । ମନ୍ଦିର ଚତୁପାର୍ଶ୍ୱ ଜବରଦଖଲ ହୋଇଥିବା ବେଳେ ସେଠାରେ ଆବର୍ଜନା ଏବଂ ଡ୍ରେନ ସମସ୍ୟା ଚିନ୍ତାର କାରଣ ହୋଇଛି । ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ଅଭାବ କାରଣରୁ ମନ୍ଦିରର ଢାଞ୍ଚା ଅବକ୍ଷୟ ହୋଇଚାଲିଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ମନ୍ଦିରର କୀର୍ତ୍ତିରାଜି ନଷ୍ଟ ହେଉଛି । ଏହାବ୍ୟତିତ ଧ୍ୱନୀ ପ୍ରଦୂଷଣ ଓ ବିଶୃଙ୍ଖଳା ଯୋଗୁଁ ମନ୍ଦିର ପ୍ରାଙ୍ଗଣର ପବିତ୍ରତା କ୍ଷୟ ହେବାକୁ ଲାଗିଛି ।
ଏହାକୁ ଦୃଷ୍ଟିରେ ରଖି ଏଏସଆଇକୁ ମନ୍ଦିର ସୁରକ୍ଷା ଏବଂ ବିକାଶ ଯୋଜନାରେ କପିଳେଶ୍ୱର ମନ୍ଦିରକୁ ଅନ୍ତର୍ଭୃକ୍ତ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଶ୍ରୀ ପ୍ରଧାନ ବିଭାଗୀୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି । ଏହି ପ୍ରାଚୀନ ମନ୍ଦିରକୁ ସୁରକ୍ଷିତ ରଖିବା ପାଇଁ ଏଏସଆଇ ଆବଶ୍ୟକ ପଦକ୍ଷେପ ନେବା ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି । କପିଳେଶ୍ୱର ମନ୍ଦିର ଏକ ଧାର୍ମିକ ସ୍ଥଳୀ ନୁହେଁ ବରଂ ଜାତୀୟ ସମ୍ପତ୍ତି । ଏଏସଆଇ ଦ୍ୱାରା ମନ୍ଦିରର ସଂରକ୍ଷିତ ସୁନିଶ୍ଚିତ କରାଯାଉ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ।