-
ରତ୍ନଭଣ୍ଡାର ଚାବି ହଜିବା ଓ ଖୋଲାଯିବା ପ୍ରସଙ୍ଗରେ ଆଇନ ବିଭାଗ ୫ ବର୍ଷରେ କରିନାହିଁ ଗୋଟିଏ ବି ବୈଠକ : ଅନିଲ ବିଶ୍ୱାଳ
-
ରତ୍ନ ଭଣ୍ଡାର ଖୋଲିବା ନେଇ ସରକାର ୫ ବର୍ଷରେ ଗୋଟିଏ ବି ବୈଠକ ନକରିପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଜଗନ୍ନାଥ ବିରୋଧୀ ମାନସିକତାର ପ୍ରତିଫଳନ
-
ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୬୦ର ଧାରା ୬ର ଉପଧାରା ୧ ଅନୁସାରେ ରତ୍ନ ଭଣ୍ଡାରର ଭିତର ଭଣ୍ଡାର ଖୋଲିବା ପାଇଁ ଆଇନ ବିଭାଗ ହେଉଛନ୍ତି କ୍ଷମତାପ୍ରାପ୍ତ
-
ଶ୍ରୀମନ୍ଦିରର ପରିଚାଳନା ସର୍ମ୍ପକରେ ରାଜ୍ୟ କ୍ୟାବିନେଟ, ବିଧାନସଭା, ନ୍ୟାୟାଳୟ ସବୁଠି ଆଇନ ବିଭାଗ ଉତର ଦାୟୀ
-
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବରେ ନିଯୁକ୍ତି ପାଇଥିବା ରଂଜନ କୁମାର ଦାସଙ୍କ ବିରୋଧରେ ରହିଛି କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ
-
ପୁରୀରେ ଏକ ଆଦର୍ଶ ଗୁରୁକୁଳ ସ୍ଥାପନା ପାଇଁ ରାଜ୍ୟ ସରକାର ଯାହା ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି ସେହି ସଂସ୍ଥାର ଗୁରୁକୁଳ ଚଳାଇବାର ଅଭିଜ୍ଞତା ନାହିଁ
ଭୁବନେଶ୍ୱର, ରତ୍ନ ଭଣ୍ଡାର ଚାବି ହଜିବା ଓଡିଶା ଜଗନ୍ନାଥ ମନ୍ଦିର ଇତିହାସରେ ସବୁଠାରୁ କଳଙ୍କିତ ଅଧ୍ୟାୟ । ରତ୍ନ ଭଣ୍ଡାର ଚାବି ହଜିବା ଘଟଣା ସରକାରଙ୍କ ନଜରକୁ ଆସିଥିଲା ୨୦୧୮ରେ । ସେବେଠାରୁ ଓଡିଶାର ଜନସାଧାରଣଙ୍କର ଏକ ବଡ ଦାବି ହେଲା ଯେ ସରକାର ରତ୍ନ ଭଣ୍ଡାର ଖୋଲନ୍ତୁ ଓ ରତ୍ନ ଭଣ୍ଡାର ଭିତରେ ଥିବା ସମସ୍ତ ଅଳଙ୍କାର ସୁରକ୍ଷିତ ଅଛି ନା ନାହିଁ ତାହା ସ୍ପଷ୍ଟ କରନ୍ତୁ । ଏବେ ସୂଚନା ଅଧିକାର ଆଇନ ବଳରେ ରତ୍ନ ଭଣ୍ଡାର ସର୍ମ୍ପକରେ ଯେଉଁ ତଥ୍ୟ ଆସିଛି ତାହା ଯେତିକି ଚିନ୍ତାଜନକ ତାଠାରୁ ବେଶି ଭୟଙ୍କର । ସୂଚନା ଅଧିକାର ଆଇନ ଆଧାରରେ ଆଇନ ବିଭାଗକୁ ପଚରା ଯାଇଥିବା ଏକ ପ୍ରଶ୍ନର ଲିଖିତ ଉତରରେ ସରକାର କହୁଛନ୍ତି ଯେ ରତ୍ନ ଭଣ୍ଡାର ଚାବି ହଜିବା ଓ ରତ୍ନ ଭଣ୍ଡାର ଖୋଲିବା ନେଇ ଆଇନ ବିଭାଗ ୨୦୧୮ରୁ ଆଜି ପର୍ଯ୍ୟନ୍ତ ସେପରି କୌଣସି ବୈଠକ କରିନାହିଁ । ଯେଉଁ ପ୍ରସଙ୍ଗରେ ସାରା ରାଜ୍ୟ ହୁଲୁସ୍ତୁଲୁ, ସମସ୍ତେ ଚିନ୍ତିତ ସେହି ପ୍ରସଙ୍ଗର ସମାଧାନ ପାଇଁ ସରକାର ୫ ବର୍ଷରେ ଗୋଟିଏ ବି ବୈଠକ ନକରିପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଏହା ଜଗନ୍ନାଥ ବିରୋଧୀ ମାନସିକତାର ପ୍ରତିଫଳନ ବୋଲି ଅଜି ଏକ ସାମ୍ବାଦିକ ସମ୍ମିଳନିରେ କହିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ।
ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୬୦ର ଧାରା ୬ର ଉପଧାରା ୧ ଅନୁସାରେ ରତ୍ନ ଭଣ୍ଡାରର ଭିତର ଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାର ହେଉଛନ୍ତି କ୍ଷମତାପ୍ରାପ୍ତ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଆଇନ ବିଭାଗର ଅଧୀନରେ ଆସୁଛି । ଶ୍ରୀମନ୍ଦିରର ପରିଚାଳନାର ସବୁକିଛି ପାଇଁ ରାଜ୍ୟ କ୍ୟାବିନେଟ, ବିଧାନସଭା, ନ୍ୟାୟାଳୟ ସବୁଠି ଆଇନ ବିଭାଗ ଉତର ଦାୟୀ । ରତ୍ନ ଭଣ୍ଡାର ଚାବି ହଜିବା ଘଟଣା ୨୦୧୮ ମସିହାରୁ ଆଜି ପର୍ଯ୍ୟନ୍ତ ସବୁବେଳେ ଚର୍ଚ୍ଚାରେ ରହି ଆସିଛି । ଗଣମାଧ୍ୟମରେ, ବିଧାନସଭାରେ, ଏମିତିକି ହାଇକୋର୍ଟରେ ମଧ୍ୟ ଏନେଇ ମାମଲା ଚାଲିଛି । ସମସ୍ତେ ଚାହିଁ ବସିଛନ୍ତି ଯେ ସରକାର କେବେ ରତ୍ନଭଣ୍ଡାର ଖୋଲିବା ପାଇଁ ନିଷ୍ପତି ନେବେ ବୋଲି । ହେଲେ ସରକାରଙ୍କ ଆଇନ ବିଭାଗ କହୁଛି ଯେ ଆଜି ପର୍ଯ୍ୟନ୍ତ ସେନେଇ କୌଣସି ବୈଠକ ହୋଇନାହିଁ ବୋଲି । ୫ ବର୍ଷ ବିତିସାରିଲାଣି ହେଲେ ଏବେ ସୁଦ୍ଧା ରତ୍ନ ଭଣ୍ଡାର ଖୋଲିବା ନେଇ ଆଇନ ବିଭାଗ କୌଣସି ବୈଠକଟିଏ ନକରିବା ବଡ ଆଶ୍ଚର୍ଯ୍ୟର ବିଷୟ ବୋଲି ଅନିଲ କହିଛନ୍ତି ।
କେବଳ ସେତିକି ନୁହେଁ ଶ୍ରୀମନ୍ଦିର ପ୍ରଶାସନ ରତ୍ନ ଭଣ୍ଡାର ସର୍ମ୍ପକରେ ଅଦାଲତରେ ଥରେ ନୁହେଁ ବାରମ୍ବାର ସମୟ ନେଉଛନ୍ତି ସତ୍ୟପାଠ ଦାଖଲ କରିବା ପାଇଁ । ଆଇନ ବିଭାଗ ମଧ୍ୟ ସେହି ସମସ୍ତ ମାମଲାରେ ପକ୍ଷଭୁକ୍ତ ଅଛନ୍ତି । ହେଲେ କିନ୍ତୁ ଏସବୁ ପ୍ରସଙ୍ଗରେ ମଧ୍ୟ ଆଇନ ବିଭାଗ ପାଖରେ କୌଣସି ଖବର ନାହିଁ ବୋଲି ଆଇନ ବିଭାଗ ସୂଚନା ଅଧୀକାର ଆଇନ ଆଧାରରେ ସୁଚନା ଦେଇଛନ୍ତି । ଏ ସରକାରକୁ ଚଲାଉଛି କିଏ ? ଏଭଳି ଜଗନ୍ନାଥ ବିରୋଧୀ ମାନସିକତା ଥିବା ସରକାର ପୁରା ଓଡିଶା ପାଇଁ ବିପଦ । ଆଇନ ବିଭାଗ ଯାହା ଓଡିଶା ଲୋକଙ୍କ ପାଖରେ ଉତରଦାୟୀ ଶ୍ରୀମନ୍ଦିର ପରିଚାଳନା ନେଇ ସେହି ବିଭାଗର ଏଭଳି ସ୍ଥିତି କାହିଁକି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଏବେ ରାଜ୍ୟ ସରକାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବରେ ଯେଉଁ ରଂଜନ କୁମାର ଦାସଙ୍କୁ ନିଯୁକ୍ତ କରିଛନ୍ତି ସେ ମହାଶୟ ଜଣେ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ । ଯାଜପୁର ଜିଲ୍ଲାରେ ହୋଇଥିବା ୨୦୦ କୋଟି ଟଙ୍କାର କଳାମୁଗୁନି ପଥର କେଳେଙ୍କାରୀ ପାଇଁ ସେ ମହାଶୟ ଦାୟୀ ବୋଲି ଓଡିଶା ଭିଜିଲାନ୍ସ ତାଙ୍କ ବିରୋଧରେ ଲୋକାୟୁକ୍ତଙ୍କୁ ଲିଖିତ ରିପୋର୍ଟ ଦେଇଛନ୍ତି । ଏଭଳି ଦୁର୍ନୀତି ଅଭିଯୁକ୍ତଙ୍କୁ କାହିଁକି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବରେ ଦାୟୀତ୍ୱ ଦିଆଗଲା ତାହା ବଡ ଚିନ୍ତାଜନକ ବିଷୟ । ତୁରନ୍ତ ଶ୍ରୀ ଦାସଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦରୁ ହଟାଇ ତାଙ୍କ ସ୍ଥାନରେ ଆଉ କେଉଁ ଦକ୍ଷ ଓ ସଚ୍ଚୋଟ ଅଧିକାରୀଙ୍କୁ ଏହି ଦାୟୀତ୍ୱ ଦିଆଯାଉ, ନହେଲେ ଶ୍ରୀଜଗନ୍ନାଥ ମନ୍ଦିର ଅଧୀନରେ ଥିବା ଜମିଜମାକୁ ମଧ୍ୟ ସେ ମହାଶୟ ବିକ୍ରି କରି ଚଳୁ କରିଦେବେ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ ପୁରୀରେ ଏକ ଆଦର୍ଶ ଗୁରୁକୁଳ ସ୍ଥାପନା ପାଇଁ ସୁପ୍ରିମକୋର୍ଟ ୨୦୧୯ରେ ନିର୍ଦ୍ଦେଶ ଦେଇଥିଲେ ଯେଉଁଥିରେ ସେବାୟତଙ୍କ ପିଲାମାନେ ଜଗନ୍ନାଥ ସଂସ୍କୃତି ଓ ଭାରତୀୟ ପୁଜା ପରମ୍ପରା, ବୈଦିକ ରୀତିନିତି ଉପରେ ଅଧ୍ୟୟନ କରିବେ । ୪ ବର୍ଷ ବିତିଗଲାଣି, ପୁରୀରେ କୌଣସି ଗୁରୁକୁଳ ସ୍ଥାପନା ହୋଇପାରିଲା ନାହିଁ । ଏବେ ରାଜ୍ୟ ସରକାର ଯେଉଁ ଜିଡି ବିର୍ଲା ମେଡିକାଲ ଏଜୁକେସନ ଫାଉଣ୍ଡେସନ ସଂସ୍ଥା ସହିତ ବୁଝାମଣା କରିଛନ୍ତି ସେହି ସଂସ୍ଥାର ଗୁରୁକୁଳ ଚଲାଇବାର କୌଣସି ଅଭିଜ୍ଞତା ନାହିଁ । ରାଜ୍ୟରେ ତଥା ଦେଶରେ ଅନେକ ଗୁରୁକୁଳ ଘରୋଇ ଉଦ୍ୟମରେ ବୈଦିକ ପରମ୍ପରାରେ ଚାଲୁଛି । କାହିଁକି ରାଜ୍ୟ ସରକାର ଗୁରୁକୁଳ ଚଲାଉଥିବା ଅନୁଷ୍ଠାନ ମାନଙ୍କୁ ଅଣଦେଖା କରି ଏକ ବ୍ୟବସାୟୀକ କୋଚିଙ୍ଗ ସେଂଟର ଚଲାଉଥିବା ସଂସ୍ଥା ସହିତ ବୁଝାମଣା କରିଲେ ଏହା ଉପରେ ତଦନ୍ତ ହେବାର ଆବଶ୍ୟକତା ରହିଛି । ଏହା ମଧ୍ୟ ଆଉ ଏକ ଦୁର୍ନୀତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦ୍ୟସ ତଥା ପୁରୀର ପୂର୍ବତନ ଜିଲ୍ଲା ସଭାପତି ପ୍ରଭଂଜନ ମହାପାତ୍ର ଉପସ୍ଥିତ ଥିଲେ ।