ଗଞ୍ଜାମ, ବ୍ରହ୍ମପୁର ଲାଞ୍ଜିପଲ୍ଲୀର ଇଷ୍ଟଦେବୀ ମା ତାରାଦେବୀ ଠାକୁରାଣୀଙ୍କ ଦ୍ଵିବାର୍ଷିକ ଯାତ୍ରା ଗତକାଲି ରାତିରୁ ଆରମ୍ଭ ହୋଇଛି । ରାତିରେ ରାଧାକୃଷ୍ଣ ମନ୍ଦିର ସାହି ସ୍ଥିତ ଦେଶି ବେହେରା କୁନା ସାବତଙ୍କ ଘରୁ ପାରମ୍ପରିକ ପୂଜାର୍ଚ୍ଚନା ପରେ ମା ଠାକୁରାଣୀଙ୍କୁ ଆବାହନ କରିବା ପାଇଁ ପଟୁଆର ବାହାରିଥିଲା । ବାଜା, ଶଙ୍ଖ, ଢ଼ୋଲ, ହୁଳହୁଳି ଓ ନୃତ୍ୟ ଗୀତର ବର୍ଣ୍ଣାଢ଼୍ୟ ପରିବେଶରେ ବିଶାଳ ଶୋଭାଯାତ୍ରା ସାହି ପରିକ୍ରମା କରି ଲାଞ୍ଜିପଲ୍ଲୀ ରାଜା ତଥା ଠାକୁରାଣୀ ଯାତ୍ରା ପୂଜା କମିଟିର ସଭାପତି ଭାଗବତ ପ୍ରସାଦ ସିଂହଦେଓଙ୍କ ବାସଭବନରେ ପହଂଚିଥିଲେ । ସେଠାରେ ଦେଶି ବେହେରା ରାଜାଙ୍କୁ ଆମନ୍ତ୍ରଣ କରି ଆଣିବା ପରେ ରାତି ସାଢ଼େ ୧୦ଟାରେ ଶୋଭାଯାତ୍ରା ମା ତାରାଦେବୀଙ୍କ ମନ୍ଦିର ଅଭିମୁଖେ ବାହାରିଥିଲା । ମନ୍ଦିରରେ ୧୬ ପାର୍ଶ୍ଵଦେବୀଙ୍କୁ ପୂଜାର୍ଚ୍ଚନା ପରେ ମା ଠାକୁରାଣୀଙ୍କୁ ଆବାହନ ପୂଜା ଆରମ୍ଭ ହୋଇଥିଲା । ରାଜା ସିଂହଦେଓ ପାରମ୍ପରିକ ରୀତିନୀତିରେ ମା ତାରାଦେବୀଙ୍କ ପୂଜାର୍ଚ୍ଚନା କରି ମାଙ୍କୁ ଆବାହନ କରିଥିଲେ । ମାଆଙ୍କ ଆଜ୍ଞାମାଳ ପାଇବା ପରେ ଘଟ ସହ ଫୁଲ ଚାଙ୍ଗୁଡ଼ି ମସ୍ତକରେ ବହନ କରି ଦେଶି ବେହେରା କୁନା ସାବତ ଏକ ବିଶାଳ ପଟୁଆରରେ ମାଙ୍କ ସ୍ଥାୟୀ ମନ୍ଦିରରୁ ଅସ୍ଥାୟୀ ପୀଠ ଅଭିମୁଖେ ଯାତ୍ରା କରିଥିଲେ । ମୁଖ୍ୟ ପୂଜକ ଭାଗ୍ୟ ଗନ୍ତାୟତ ସମସ୍ତ ଦେବକାର୍ଯ୍ୟ ତୁଲାଇଥିଲେ ।
ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ମହାନଗର ନିଗମ(ବିଇଏମସି) ମେୟର୍ ସଂଘମିତ୍ରା ଦଳେଇ, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା, ବିଜେଡ଼ିର ବରିଷ୍ଠ ନେତା ଜଗନ୍ନାଥ ସାବତ, ଭଗବାନ ଗନ୍ତାୟତ, କର୍ପୋରେଟର ସୋନାଲି ଗନ୍ତାୟତ, କର୍ପୋରେଟର ସ୍ଵର୍ଣ୍ଣଲତା ସାବତ ଓ ବନିତା ସାହୁଙ୍କ ସମେତ ସମସ୍ତ କମିଟି କର୍ମକର୍ତା ସଦସ୍ୟ ଗ୍ରାମବାସୀଙ୍କ ସମେତ ବହୁ ବରିଷ୍ଠ ନାଗରିକ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ, ମଇ ୨୯ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ପାଳନ କରାଯିବ ।