ଭୁବନେଶ୍ୱର, ଆମେ ପୁରୁଣା ବନ୍ଧୁ । ସହକର୍ମୀ ମଧ୍ୟ । ବାଜପାୟୀଙ୍କ କ୍ୟାବିନେଟ୍ ରେ ଆମେ ସହକର୍ମୀ ଥିଲୁ । ରାଜନୈତିକ ମେଂଟ ନେଇ କୌଣସି ଆଲୋଚନା ହୋଇନାହିଁ ବୋଲି କହିଛନ୍ତି ଦୁଇ ମୁଖ୍ୟମନ୍ତ୍ରୀ ନବୀନ – ନୀତିଶ ।
ମଙ୍ଗଳବାର ଦିନ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଉଭୟଙ୍କ ମଧ୍ୟରେ ଆଲୋଚନା ପରେ ଉଭୟ ଗଣମାଧ୍ୟମକୁ ଏକସଙ୍ଗରେ ପ୍ରତିକ୍ରିୟା ଦେଇଥିଲେ । ଶ୍ରୀ ପଟ୍ଟନାୟକ କହିଥିଲେ ଯେ ନୀତିଶ ଓଡିଶା ଆସିଥିବାରୁ ସେ ଖୁସି । ଆମେ ପୁରୁଣା ବନ୍ଧୁ । ବହୁ ବର୍ଷ ତଳେ ଆମେ ସହକର୍ମୀ ଥିଲୁ । ବାଜପାୟୀଙ୍କ କ୍ୟାବିନେଟ୍ ରେ ଆମେ ସହକର୍ମୀ ଥିଲୁ । ଜଗନ୍ନାଥ ଧାମ ପୁରୀକୁ ଆସୁଥିବା ବିହାରର ଲୋକମାନଙ୍କ ରହଣି ସୁବିଧା ପାଇଁ ବିହାର ସରକାର ବିହାର ଭବନ ନିର୍ମାଣ ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ପୁରୀରେ ବିହାର ଭବନ ପାଇଁ ଓଡିଶା ସରକାର ବିହାର ସରକାରଙ୍କୁ ଦେଢ ଏକର ଜମି ମାଗଣାରେ ଯୋଗାଇଦେବେ । ଆଜିର ବୈଠକରେ ମେଂଟ ଆଲୋଚନା ହୋଇନି କହିଲେ ନବୀନ ।
ସେହିପରି ନୀତିଶ କହିଛନ୍ତି ଯେ ଆମ ସମ୍ପର୍କ ଏବର ନୁହେଁ । ପୂର୍ବରୁ ବହୁବାର ଏଠାକୁ ଆସିଛି କରୋନା ଯୋଗୁଁ ଭେଟିବା ସମ୍ଭବ ହୋଇପାରୁନଥିଲା । ବହୁବର୍ଷ ଧରି ବିହାରରୁ ଶ୍ରଦ୍ଧାଳୁ ଆସୁଛନ୍ତି । ବିହାର ଭବନ ନେଇ ଆଗରୁ ଆଲୋଚନା ହୋଇଥିଲା । ଆଜି କେବଳ ନିଷ୍ପତି ହେଲା । କୌଣସି ରାଜନୈତିକ ଆଲୋଚନା ହୋଇନାହିଁ ।