ଚମ୍ପୁଆ,ଓଡ଼ିଶାର ଶେଷ ସୀମାନ୍ତ ଚମ୍ପୁଆକୁ ଲାଗି ରହିଥିବା ଝାରଖଣ୍ଡ ରାଜ୍ୟର ସିଂହଭୂମି ଜିଲ୍ଲା ଅନ୍ତର୍ଗତ ଜୟନ୍ତୀଗଡ଼ ଠାରେ ଥିବା ଉମେଶ ସୁପର ମାର୍କେଟରେ ଗତ ରାତିରେ ନିଆଁ ଲାଗି ପ୍ରାୟ ୧ କୋଟିରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ଜଳି ପୋଡି ନଷ୍ଟ ହୋଇଯାଇଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ଜୟନ୍ତୀଗଡ଼ ଭଙ୍ଗାପୋଲ ନିକଟରେ ଥିବା ଉମେଶ ସୁପର ମାର୍କେଟ ଗ୍ରୋସରୀ ଦୋକାନରେ ପ୍ରତିଦିନ ପରି ଗତକାଲି ରବିବାର ରାତି ପ୍ରାୟ ୮ଟା ସମୟରେ ଉମେଶ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ଘରକୁ ଯିବାର କିଛି ସମୟ ପରେ ଦୋକାନ ଭିତରୁ ଧୂଆଁ ବାହାରୁଥିବାର ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ତୁରନ୍ତ ଦୋକାନକୁ ଯାଇଥିଲେ। ସେତେବେଳେ ସମୟ ରାତି ପ୍ରାୟ ୮ ଟା ୪୫ ମିନିଟ। ଉମେଶ ଦୋକାନରେ ପହଂଚିବା ବେଳକୁ ଧୁ ଧୁ ନିଆଁ ଚାରିଆଡେ ଜଳିବାକୁ ଲାଗିଥିଲା। ନିଆଁ ଜଳିବାର ଦେଖି ସେଠାରେ ବହୁସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥିଲା। ସମସ୍ତେ ନିଆଁକୁ ଲିଭେଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ନିଆଁ ଆୟତ ବାହାରକୁ ଚାଲି ଯାଇଥିବାର ଦେଖି ସଙ୍ଗେ ସଙ୍ଗେ ପ୍ରଥମେ ଚମ୍ପୁଆ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ, ହେଲେ ଜୟନ୍ତୀଗଡ଼ ଝାରଖଣ୍ଡ ରାଜ୍ୟରେ ଥିବାରୁ ଅନୁମତି ନେଇ ଚମ୍ପୁଆ ଅଗ୍ନିଶମ ବିଭାଗକୁ ଘଟଣାସ୍ଥଳରେ ପହଞ୍ଚିବାକୁ ପ୍ରାୟ ଏକ ଘଣ୍ଟା ସମୟ ଲାଗିଥିଲା। ଜଗନ୍ନାଥପୁର ଏସଡିଓ ଏବଂ ବିଡିଓଙ୍କୁ ମଧ୍ୟ ଖବର ଦେଇଥିଲେ। ଖବର ପାଇ ଜଗନ୍ନାଥପୁର ପ୍ରଶାସନ ପକ୍ଷରୁ ନିଆଁକୁ ଆୟତ କରିବା ପାଇଁ ନୂଆମୁଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ନୂଆମୁଣ୍ଡି ଅଗ୍ନିଶମ ବିଭାଗକୁ ଘଟଣାସ୍ଥଳରେ ପହଞ୍ଚିବାକୁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଥିଲା। ନିଆଁ ଏତେ ଭୟଙ୍କର ଥିଲାଯେ ଦୁଇ ରାଜ୍ୟର ଅଗ୍ନିଶମ ବିଭାଗ ଚମ୍ପୁଆ ଅଗ୍ନିଶମ ଏବଂ ନୂଆମୁଣ୍ଡି ଅଗ୍ନିଶମ ବିଭାଗର ମିଳିତ ଭାବରେ ଦୀର୍ଘ ଘଣ୍ଟା ସମୟ ଧରି ବହୁ ପ୍ରଚେଷ୍ଟା ପରେ ନିଆଁକୁ ବିଳମ୍ବିତ ରାତିରେ ଆୟତ କରିଥିଲେ। ଏହି ଦୋକାନ ଗୃହରେ ଥିବା ତଳ ଓ ଉପର ଉଭୟ ମହଲାରେ ନିଆଁ ଲାଗିବା ଦ୍ଵାରା ପ୍ରାୟ ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଜିନିଷ ପତ୍ର ଜଳି ପୋଡି ନଷ୍ଟ ହୋଇଯାଇଥିବା କୁହାଯାଉଥିବା ବେଳେ ଏହି ଦୋକାନକୁ ଲାଗି ରହିଥିବା ହିରୋ ଓ ଟିଭିଏସ ସୋରୁମ ସହିତ ଟାୟାର ଦୋକାନ ଅଳ୍ପକେ ବର୍ତ୍ତି ଯାଇଛି। ନିଆଁ ଲାଗିବାର କୌଣସି କାରଣ ଜଣାପଡ଼ିନାହିଁ ତେବେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ଥାଇ ପାରେ ବୋଲି ଅନୁମାନ କରାଯାଉଛି। ଏହି ନିଆଁ ଲାଗିବା ସମ୍ପର୍କରେ ଖବର ପାଇ ଜଗନ୍ନାଥପୁର ଏସଡିଓ ଶଙ୍କର ଏକ୍କା, ସିଓ ଲଳିତ ଭଗତ, ଇନ୍ସପେକ୍ଟର ବୀରେନ୍ଦ୍ର କୁମାର, ସବ ଇନ୍ସପେକ୍ଟର ପ୍ରଭାତ ରଞ୍ଜନଙ୍କ ସହିତ ଜଗନ୍ନାଥପୁର ପୋଲିସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଉପସ୍ଥିତ ଥିବାର ଦେଖିବାକୁ ମିଳିଛି।