ବଲାଙ୍ଗିର, ବଲାଙ୍ଗିର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହରିଶଙ୍କର ଠାରେ ସତ୍ୟସାଇ ସେବା ସମିତି ଓ ପ୍ରଶାସନ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ସଫେଇ କାର୍ଯ୍ୟକ୍ରମରେ ପାଟଣାଗଡ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠୀ, ବେଲପଡ଼ା ପାଟଣାଗଡ ତହସିଲଦାର, ଅତିରିକ୍ତ ତହସିଲଦାର, ଯୋଗାଣ ଅଧିକାରି ଓ ଅନ୍ୟାନ୍ୟ ଅଧିକାରିଙ୍କ ସମେତ ମନ୍ଦିର ପରିଚାଳକ ମିଳିତ ଭାବରେ ନିଜେ ଶ୍ରମଦାନ କରି ପରିବେଶ ପରିଛନ୍ନ ଓ ପରିଷ୍କାର କରିଥଲେ ।
ସୂଚନାଯୋଗ୍ୟ ଯେ, ଗତ ମଇ’ ୧ରୁ ୫ ତାରିଖ ପର୍ଯ୍ୟନ୍ତ ବୈଶାଖ ମେଳା ଅନୁଷ୍ଠିତ ହୋଇଥିବା ବେଳେ ହଜାର ହଜାର ସଂଖ୍ୟାରେ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଏଠାରେ ଭିଡ ଜମିଥିଲା । ଫଳରେ ଝରଣା, ମନ୍ଦିରର ଚାରିପାଖ ତଥା ମନ୍ଦିର ପରିସର ଠାରୁ ଆରମ୍ଭ କରି ଚିଡିଆଖାନା ପର୍ଯ୍ୟନ୍ତ ଅଳିଆ ଆବର୍ଜନା ପୂର୍ଣ୍ଣ ହୋଇଯାଇଥିଲା । ତେବେ ଗତକାଲି ସତ୍ୟସାଇ ସେବା ସମିତି ଓ ପ୍ରଶାସନ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଆୟୋଜିତ କରି ଉକ୍ତ ସ୍ଥାନମାନଙ୍କରେ ସଫେଇ କରାଯାଇଥିଲା । ସତ୍ୟସାଇ ସେବା ସମିତିର ସମସ୍ତ ସଦସ୍ୟ ଏଥିରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିବା ବେଳେ ପ୍ରଶାସନ ଓ ସତ୍ୟସାଇ ସେବା ସଂଗଠନର ଏହି କାର୍ଯ୍ୟକୁ ପ୍ରଶଂସା କରାଯାଉଛି।