-
ବିଭିନ୍ନ ମନ୍ଦିରର ଉନ୍ନତିକରଣ ପାଇଁ ପଦକ୍ଷେପ
ଗଞ୍ଜାମ, ମୁଖ୍ୟମନ୍ତ୍ରୀଙ୍କ ଫାଇଭ୍ -ଟି ସଚିବ ଭି.କେ. ପାଣ୍ଡିଆନ ଆଜି ସକାଳେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଏବଂ ଶେରଗଡ଼ ବ୍ଲକର ବିଭିନ୍ନ ଅଂଚଳ ଗସ୍ତ କରିଛନ୍ତି । ସକାଳେ ସେ ହିଞ୍ଜିଳି ନିକଟସ୍ଥ ବୁରୁପଡ଼ା ସମଲାଇ ମନ୍ଦିରକୁ ଯାଇ ଦେବୀଙ୍କ ଦର୍ଶନ କରିବା ସହ ମନ୍ଦିରର ଉନ୍ନୟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏବଂ ଏ ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହିତ ଆଲୋଚନା କରି ୬ ମାସ ମଧ୍ୟରେ ଏହି କାର୍ଯ୍ୟ ସମାପ୍ତ ହେବ ବୋଲି କହିଛନ୍ତି । ଏହାପରେ ସେ ଶେରଗଡ଼ ବ୍ଲକର ପିତଳ ଉତରେଶ୍ଵର ଓ ଜଗନ୍ନାଥ ମନ୍ଦିରକୁ ଯାଇ ଦେବଦର୍ଶନ କରିବା ସହ ଏହି ଦୁଇଟି ମନ୍ଦିରକୁ ମଧ୍ୟ ନବିକରଣ ପାଇଁ ସମସ୍ତ ସହାୟତା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଏହାପରେ ପିତଳ ନିକଟସ୍ଥ କରଞ୍ଜେଇ ଦେବୀପୀଠକୁ ଯାଇ ପାହାଡ଼ ଉପରେ ମାଙ୍କ ଦର୍ଶନ କରିବା ସହ ଏହି ଦେବୀ ପୀଠର ଉନ୍ନୟନ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଏହାପରେ ପିତଳ କଲେଜକୁ ଯାଇ ଛାତ୍ରଛାତ୍ରୀ ମାନଙ୍କ ସହିତ ଭାବ ବିନିମୟ କରି କଲେଜର ସମସ୍ତ ଉନ୍ନୟନ କାର୍ଯ୍ୟ କରାଯିବ ବୋଲି ଆଲୋଚନା କରିବା ସହ କଲେଜ ପରିଚାଳନା କମିଟିକୁ ପ୍ରତିଶୃତି ଦେଇଛନ୍ତି । ଏହାପରେ ଶେରଗଡ଼ ବ୍ଲକର କରଡ଼ାକଣା ପୁରାତନ ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ମନ୍ଦିରର ନୂତନ ରୂପାନ୍ତରିତ କରାଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି ।
ଏହାପରେ ଫାଇଭ୍ -ଟି ସଚିବ ଶ୍ରୀ ପାଣ୍ଡିଆନ ଶେରଗଡ଼ ଗସ୍ତ କରି ଉଦୟପ୍ରତାପ ଯୁକ୍ତ ୨ ବିଜ୍ଞାନ କଲେଜ ଏବଂ ଡ଼ିଗ୍ରୀ କଲେଜ ପରିଦର୍ଶନ କରି କଲେଜର ଆବଶ୍ୟକତା ସମ୍ପର୍କରେ କଲେଜ କର୍ତୃପକ୍ଷ ଏବଂ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ଶେରଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ସହ ମନ୍ଦିରର ପୁନଃଉଦ୍ଧାର କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହାପରେ ସେ ନିର୍ମାଣାଧିନ ଶେରଗଡ଼ ବସଷ୍ଟାଣ୍ଡ ବୁଲି ଦେଖିଥିଲେ । ଏବଂ ଷ୍ଟାଡ଼ିୟମ୍ ନିର୍ମାଣ ତୁରନ୍ତ ସମ୍ପୂର୍ଣ୍ଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ମଧ୍ୟାହ୍ନଭୋଜନ ପରେ ସେ ହିଞ୍ଜିଳିକାଟୁ ବ୍ଲକର କେତେକ ପଂଚାୟତ ପରିଦର୍ଶନରେ ଯିବାର କାର୍ଯ୍ୟକ୍ରମ ରହିଛି ।
ଏହି ପରିଦର୍ଶନ ସମୟରେ ସେ ବିଭିନ୍ନ ପଂଚାୟତର ସରପଂଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ଲୋକ ପ୍ରତିନିଧି, ମିଶନ ଶକ୍ତି ସଭ୍ୟା ମାନଙ୍କ ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଗତକାଲି ରାତିରେ ସେ ହିଞ୍ଜିଳିକାଟୁ ଲକ୍ଷ୍ମୀନୃସିଂହ ଯାତ୍ରା ବୁଲି ଦେଖିଥିଲେ ଓ ଠାକୁର ଦର୍ଶନ କରିଥିଲେ ।