ପୁରୀ, ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଶ୍ରୀନଅର ସମ୍ମୁଖ ରଥଖଳାରେ ବିଶ୍ଵକର୍ମା ମହାରଣା, ଭୋଇ ସେବାୟତ, ରୂପକାର ସେବାୟତ, କରତିଆ ସେବାୟତ ମାନେ ରଥ ନିର୍ମାଣରେ ଲାଗି ପଡିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଚକ ନିର୍ମାଣ କାର୍ଯ୍ୟ ଚାଲିଛି । ଇତିମଧ୍ୟରେ ତିନି ରଥର ୪୨ ଚକ ପାଇଁ ୪୨ଟି ତୁମ୍ବ ନିର୍ମାଣ ହେବା ସହ ସେଥିରେ ବିନ୍ଧ ଖୋଦେଇ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଅର ଗୁଡିକ ସାଲ କରାଯାଇ ବିନ୍ଧରେ ସଂଯୋଗ କରାଯିବା ପରେ ଯନ୍ତାଗାଡ଼ରେ ଭୋଇ ସେବାୟତ ମାନେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଜାରୀ ରଖିଛନ୍ତି । ମହାରଣା ମାନେ ନାହାକା ଚକ ପାଇଁ ପଇରେ ବିନ୍ଧ କରୁଛନ୍ତି । ତିନି ରଥ ପାଇଁ କୁଡ଼ୁକା ଚଉପଟ କାର୍ଯ୍ୟ ଶେଷ ହୋଇଛି । ସେହିପରି ରୂପକାର ସେବକଙ୍କ ଦ୍ଵାରା କୋଣଗୁଜରେ ସିଂହ ବିରାଳ, ନର ବିରାଳ ଏବଂ ହସ୍ତି ବିରାଳ ଆଦି ଖୋଦେଇ କାର୍ଯ୍ୟ ଜାରୀ ରହିଛି । ସେହିପରି ଦୋଳବେଦୀ କୋଣ ଅସ୍ଥାୟୀ କମାର ଶାଳରେ କମାର ସେବକମାନେ ଅର କଂଟା, ପନ୍ଦାରି ଏବଂ ବଳା ପ୍ରସ୍ତୁତ କରୁଛନ୍ତି ।
୧୨ ତାରିଖ ଶ୍ରୀକ୍ଷେତ୍ର ଭଉଁରି ଦିନ ପ୍ରତି ରଥର ଦୁଇଟି ଚକ ଅଖ ସହ ସଂଯୋଗ କରାଯାଇ ରଥଖଳାର ତିନୋଟି ସ୍ଥାନରେ ଡେରାଯିବ । ପରେ ରଥର ଅନ୍ୟ ଚକ ଗୁଡିକ ନିର୍ମାଣ ହେବା ପରେ ସେହି ସ୍ଥାନରେ ଡେରା ଯିବ । ରୂପକାର ସେବାୟତ ମାନେ ନୃସିଂହ ଚତୁର୍ଦ୍ଦଶୀ ଠାରୁ ଗୁଜରେ ନୃସିଂହ ମୂର୍ତି ଖୋଦେଇ ଅନୁକୂଳ କରିଛନ୍ତି । ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ସାରିବାକୁ ବିଶ୍ଵକର୍ମା ମହାରଣା ମାନେ ପ୍ରୟାସ ଜାରୀ ରଖିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ଅକ୍ଷୟ ତୃତୀୟାରେ ରଥ ନିର୍ମାଣର ଅନୁକୂଳ ହୋଇଥିଲା । ଜୁନ୍ ୨୦ରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ ।