-
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ
ବାରିପଦା , ଡିଗ୍ରୀ ହାସଲ କରିବା ପରେ ଶିକ୍ଷାର ଅନ୍ତ ହୁଏ ନାହିଁ । ଶିକ୍ଷା ଲାଭର ଅନ୍ତ ନାହିଁ । ଶିକ୍ଷାଲାଭ କରିବା କେବେ ସରେ ନାହିଁ । ଶିକ୍ଷା ଲାଭ କରିବା ଏକ ଅନବରତ ପ୍ରକ୍ରିୟା । ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି ।
ବିଶ୍ୱବିଦ୍ୟାଳୟରେ ଇନକୁବେସନ ସେଂଟର ସ୍ଥାପନା କରା ଯାଇ ଷ୍ଟାର୍ଟ ଅପ ପାଇଁ ଛାତ୍ର- ଛାତ୍ରୀ, ପୂରାତନ ଛାତ୍ର ଛାତ୍ରୀ ଓ ସାଧାରଣ ଲୋକ ମାନଙ୍କୁ ସହାୟତା ପ୍ରଦାନ କରାଯାଉଥିବାରୁ ରାଷ୍ଟ୍ରପତି ପ୍ରସନ୍ନତା ବ୍ୟକ୍ତ କରିଥିଲେ ।
ସେ କହିଥିଲେ ଯେ ଜୀବନରେ ସବୁବେଳେ ପ୍ରତିଯୋଗିତା ରହିବ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଯୋଗିତାର ସାମନା କରିବାକୁ ପଡିବ । ଛାତ୍ର ମାନଙ୍କୁ ସବୁବେଳେ ନୂଆ ନୂଆ ଉଚ୍ଚ କୌଶଳ ଶିକ୍ଷା କରି ନିଜର ସାମର୍ଥ୍ୟ ବଢାଇବା ସହ ପ୍ରତିଯୋଗିତାରେ ସଫଳ ହେବାକୁ ଚେଷ୍ଟା କରିବାକୁ ହେବ ବୋଲି ସେ କହିଥିଲେ । ନିଜର ଇଚ୍ଛାଶକ୍ତି ବଳରେ ସେମାନେ ଅସମ୍ଭବକୁ ସମ୍ଭବ କରି ପାରିବେ ।
ସେ କହିଥିଲେ ଯେ ଜୀବନରେ ଆଗକୁ ବଢିବା ବେଳେ ଦେଖିବା ଯେ ଅନେକ ଲୋକ ସମାଜରେ ପଛୁଆ ଅଛନ୍ତି ଓ ସେମାନେ ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ସମର୍ଥ ନାହାନ୍ତି । ଏଭଳି ବଂଚିତ ଲୋକ ମାନଙ୍କୁ ହାତ ଧରି ଆଗକୁ ନେବା ପାଇଁ ସେ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ୱାନ କରିଛନ୍ତି । ସହଯୋଗ ଜରିଆରେ ହିଁ ସୁସ୍ଥ ସମାଜର ଗଠନ ହୋଇ ପାରେ ବୋଲି ସେ କହିଛନ୍ତି ।