ମାଲକାନଗିରି, ଗଛମୂଳେ ଲୋକେ ବସିଛନ୍ତି, ଗୁଣିଆ ମନ୍ତ୍ର ପାଠ କରି ଚେର ମୂଳି ଦେଉଛି । ଏମିତି ଦୃଶ୍ୟ ଦେଖିବା ପରେ ଆପଣ ବି କହିବେ ଆଜିକା ସମୟରେ ଗୁଣିଗାରେଡି ଉପରେ ଲୋକେ ବିଶ୍ଵାସ କରୁଛନ୍ତି କିପରି। ଦେହ ଖରାପ ହେଲେ ଲୋକେ ମେଡିକାଲ ଯିବେ । ହେଲେ ଏଇଠି ଏମିତି କିଛି ହେଉନି । ବରଂ ଚିକିତ୍ସା ସେବା ନପାଇ ଜୀବନ ବଞ୍ଚାଇବାକୁ ଗୁଣିଆ ପାଖକୁ ଯିବାକୁ ପଡୁଛି ବୋଲି କହୁଛନ୍ତି ଲୋକେ । ନାହିଁ ନାହିଁରେ ଚାଲିଛି ସ୍ଵାସ୍ଥ୍ୟସେବା । ମେଡିକାଲରେ ଚିକିତ୍ସା ସେବା ନପାଇବାରୁ ବାଧ୍ୟ ହୋଇ ଗୁଣିଆ ପାଖକୁ ଧାଉଁଛନ୍ତି ଲୋକେ । ଯାହା ଦେଖିଲେ ଜଣାପଡୁଛି, ମାଲକାନଗିରି ଜିଲ୍ଲାରେ ଭୁଶୁଡି ପଡିଲାଣି ସ୍ଵାସ୍ଥ୍ୟସେବା ।
ଜିଲ୍ଲାରେ ୬୦ ପ୍ରତିଶତରୁ ଅଧିକ ଡାକ୍ତର ପଦବୀ ଖାଲିଥିବା ବେଳେ ସଦର ମହକୁମା ଚିକିତ୍ସାଳୟରେ ୭୦ ପ୍ରତିଶତ ଡାକ୍ତର ନାହାନ୍ତି । ୫ଟି ବିଭାଗରେ ଜଣେ ମାତ୍ର ବିଶେଷଜ୍ଞ ଡାକ୍ତର ନଥିବା ବେଳେ କିଛି ବିଭାଗରେ ଜଣିଏ ଲେଖାଏଁ ବିଶେଷଜ୍ଞ ଅଛନ୍ତି । ସ୍ଥିତି ଏମିତି ହେଲାଣି ଯେ, ମେଡିକାଲରେ ଚିକିତ୍ସା ନପାଇବାରୁ ମାଲକାନଗିରି ପଡିଆ ବ୍ଲକ ନିଲିଗୁଡା ପଞ୍ଚାୟତର କୁମ୍ଭଗୁଡା ଗାଁର ଲୋକେ ଗୁଣିଆ ପାଖରେ ବସି କରୁଛନ୍ତି ଚିକିତ୍ସା । ଦୀର୍ଘଦିନ ହେବ ଜ୍ଵରରେ ପଡିବା ପରେ ମେଡିକାଲ ନଯାଇ ଗୁଣିଆ ପାଖରେ କରୁଛନ୍ତି ଚିକିତ୍ସା । କେବଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୁହେଁ ବରଂ ଧର୍ମପାଲୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ବି ସମାନ ଅବସ୍ଥା । ସେଇଠି ରୋଗୀଙ୍କ ଚିକିତ୍ସା କରୁଛନ୍ତି ଫାର୍ମାସିଷ୍ଟ । ଯଦିଓ ଏହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତରଙ୍କୁ ନିଯୁକ୍ତି କରାଯାଇଛି, ହେଲେ ସେ ଯଦି ଛୁଟିରେ ରହିଲେ ତେବେ ଫାର୍ମାସିଷ୍ଟ ଲୋକଙ୍କ ସାହାଭରସା । ପୂରା ଜିଲ୍ଲାରେ ଏବେ ଡାକ୍ତର ମରୁଡି । ମୁଖ୍ୟ ଚିକିତ୍ସାଳୟରେ ୧୦୯ ଟି ଡାକ୍ତର ପଦବୀ ରହିଥିବା ବେଳେ ମାତ୍ର ୩୩ ଜଣ ଅଛନ୍ତି । ଜିଲ୍ଲାରେ ମୋଟ୍ ୨୭୭ ଜଣ ଡାକ୍ତର ପଦବୀ ଥିବା ବେଳେ ଅଛନ୍ତି ମାତ୍ର ୧୦୯ । ଅଧିକାଂଶ ବିଭାଗରେ ଡାକ୍ତର ନାହାନ୍ତି । ତେଣୁ ନାହିଁନଥିବାର ଅସୁବିଧାର ସାମ୍ନା କରୁଛନ୍ତି ଲୋକେ । ମୋଟ୍ ଉପରେ ଚିକିତ୍ସା କ୍ଷେତ୍ରରେ ଅନେକ ଅସୁବିଧାର ସାମ୍ନା କରୁଛନ୍ତି ଲୋକେ । ତେଣୁ ଯାହାଙ୍କ ପାଖରେ ପଇସା ଅଛି ସେମାନେ ଘରୋଇ ମେଡିକାଲ ଯାଇ ଚିକିତ୍ସିତ ହେଉଛନ୍ତି ଆଉ ଗରିବମାନେ ଗୁଣିଆ ଭରସାରେ ବଞ୍ଚୁଛନ୍ତି । ସେପଟେ ପୂରା ଘଟଣାକୁ ସ୍ଵୀକାର କରିବା ସହିତ ଚିକିତ୍ସା ଅସୁବିଧା ହେଉଥିବା କହିଛନ୍ତି ସ୍ଵାସ୍ଥ୍ୟ କର୍ମଚାରୀ । ସିଡିଏମଓ କହୁଛନ୍ତି, କିଛି ଡାକ୍ତର ପିଜି କରିବାକୁ ଯାଇଥିବାରୁ ସ୍ଵାସ୍ଥ୍ୟସେବାରେ ବ୍ୟାଘାତ ସୃଷ୍ଟି ହେଉଛି । ସ୍ଵାସ୍ଥ୍ୟ ସେବାକୁ ସୁଧାରିବାକୁ ଆମେ ଚେଷ୍ଟା କରୁଛୁ ।