ବଲାଙ୍ଗିର, ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ତଥା ତୀର୍ଥକ୍ଷେତ୍ର ହରିଶଙ୍କର ଠାରେ ଆୟୋଜିତ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ଶୁକ୍ରବାର ଉଦଯାପିତ ହୋଇଯାଇଛି । ୧ ତାରିଖ ପ୍ରଥମ ଦିନରୁ ଅନୁଷ୍ଠିତ ବିଶ୍ଵଶାନ୍ତି ମହାଯଜ୍ଞ ଅପରାହ୍ନ ପୂର୍ଣ୍ଣାହୁତି ସହ ଶେଷ ହୋଇଥିବା ବେଳେ ମୁଖ୍ୟ କର୍ତ୍ତା ରୂପେ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ ଓ ପବିତ୍ର ପଟେଲ କାର୍ଯ୍ୟ ସମ୍ପାଦନା କରିଥିଲେ । ପଣ୍ଡିତ ସୁନନ୍ଦ ସାଗର ଯୋଶୀ, ସୁଶାନ୍ତ ଠାକୁର, ଲକ୍ଷ୍ମୀକାନ୍ତ ମିଶ୍ର, ସୁଲଭ ଦାଶ, ସୁରେଶ ପଣ୍ଡା, ତନ୍ମୟ ଦାସ, କୃଷ୍ଣ କହ୍ନେଇୟା ବେଜ୍ ପ୍ରମୁଖ ପୂଜା କାର୍ଯ୍ୟ ସମ୍ପାଦନା କରିଥିବା ବେଳେ ପ୍ରତ୍ୟେକ ଦିନ ପାଞ୍ଚଟି ଲେଖାଏଁ କର୍ତ୍ତା ପୂଜାପାଠରେ ସାମିଲ ହୋଇଥିଲେ ।
ଏହି ଅବସରରେ ଅନୁଷ୍ଠିତ ମହୋତ୍ସବର ଉଦ୍ଯାପନୀ ଉତ୍ସବରେ ପାଟଣାଗଡ଼ ଉପ ଜିଲ୍ଲାପାଳ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ବିଜୟା ନନ୍ଦ ସେଠି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଓ ଏସଡିସିଏମଓ ରଶ୍ମି ରଞ୍ଜନ ରାଉତ, ସମ୍ମାନିତ ଅତିଥି ରୂପେ ପାଟଣାଗଡ଼ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା, ବେଲପଡା ବିଡ଼ିଓ ଭିକ୍ଟୋର ସୋରେନ, ଖପ୍ରାଖୋଲ ବିଡ଼ିଓ ବିଜୟ ହୋତା, ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ବେଲପଡ଼ା ତହସିଲଦାର ପ୍ରଶାନ୍ତି ପ୍ରଧାନ, ପାଟଣାଗଡ଼ ତହସିଲଦାର ଲକ୍ଷ୍ମଣ ମାଝୀ, ଅତିରିକ୍ତ ତହସିଲଦାର ଧିରଜ କୁମାର ପାତ୍ର, ଖପ୍ରାଖୋଲ ଓଆଇସି ରମାକାନ୍ତ ସାହୁ, ଖପ୍ରାଖୋଲ ସିଡ଼ିପିଓ ସୁଜାତା ଡୋରା, ଏସଡିପିଆରଓ ସଞ୍ଜୀବ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପକ ବଳଭଦ୍ର ଦାଶ ପରିଚାଳନା କରିଥିବା ବେଳେ ଅଭୟ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଚଳିତ ବର୍ଷ ମେଳାରେ ଅଧିକ ଉତ୍ସାହ ଦେଖାଯାଇଥିବା ବେଳେ ରାଜ୍ୟରୁ ଓ ରାଜ୍ୟ ବାହାରୁ ଛତିଶଗଡ ରାଜ୍ୟରୁ ପ୍ରତିବର୍ଷ ଭଳି ଶ୍ରଦ୍ଧାଳୁ ଯୋଗଦେଇ ଥିଲା ବେଳେ ନୃସିଂହନାଥରୁ ଜଙ୍ଗଲ ସାତ ଗୋଟି ପାହାଡ ଅତିକ୍ରମ କରି ବିପଦପୂର୍ଣ୍ଣ ରାସ୍ତାରେ ହରିଶଙ୍କର ପହଞ୍ଚିବା ଗୋଟିଏ ନିଆରା ଅନୁଭୂତି । ବିଶେଷ କରି ଛତିଶଗଡ ଅଞ୍ଚଳର ଶ୍ରଦ୍ଧାଳୁ ମାନେ କେଉଁ କାଳରୁ ଏହି ପଥ ଅତିକ୍ରମ କରି ପାପ ମେଣ୍ଟାଇ ପୁଣ୍ୟ ଅର୍ଜନ କରିବା ଅନୁଭୂତି ନିଆରା। ଅନ୍ୟ ସମୟ ବ୍ୟତିତ ଏହି ଯାତ୍ରା ସମୟରେ ଦୁଇପଟକୁ ଯାତ୍ରା ମଝିରେ ଥକ୍କା ମାରିବାକୁ ବିଶ୍ରାମ ନେବା ଅନୁଭୂତି ଅବର୍ଣ୍ଣନୀୟ। ଦୁଇପଟ ଯାତ୍ରା କମିଟି ଆୟୋଜନରେ ଜିଲ୍ଲା ପ୍ରଶାସନ ବିଭିନ୍ନ ସରକାରୀ ବିଭାଗ ସହଭାଗିତା ସ୍ଥାନୀୟ ଜନତାଙ୍କୁ ସାଙ୍ଗରେ ନେଇ ଦେବତ୍ତର ବିଭାଗ ବହୁ ପୂର୍ବରୁ ବ୍ୟବସ୍ଥା ପାଇଁ ଆଗୁଆ ପ୍ରସ୍ତୁତି ଯୋଗୁଁ ଦିନକୁ ଦିନ ଏହି ସ୍ଥାନର ମହତ୍ତ୍ଵ ବୃଦ୍ଧି ପାଉଛି। ରାଜ୍ୟ ସରକାର ଏହାର ଉନ୍ନତି କଳ୍ପେ ନେଉଥିବା ପଦକ୍ଷେପ ମୌଳିକତା ଯେପରି ନଷ୍ଟ ନହୁଏ ସେ ଦିଗରେ ପଦକ୍ଷେପ ନେଲେ ଆହୁରି ପର୍ଯ୍ୟଟକ ଆକୃଷ୍ଟ ହୁଅନ୍ତେ।