ପୁରୀ,ପୁରୀ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଦ୍ଵିତୀୟ ସମନ୍ଵୟ ବୈଠକ ଆଜି ପୂର୍ବାହ୍ନ ୧୧ଟାରେ ପୌର ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରଥ ନିର୍ମାଣ, ସ୍ଵାସ୍ଥ୍ୟ ସେବା, ବିଦ୍ୟୁତ ଯୋଗାଣ, ପାନୀୟ ଜଳ ଯୋଗାଣ ସମ୍ପର୍କରେ ଆଲୋଚନା ହୋଇଥିଲା । ବିଶେଷ କରି ଶ୍ରୀମନ୍ଦିରକୁ ଜାଳେଣି କାଠ ଯୋଗାଣ ଓ କାଠପୋଲ ନିକଟରେ ଜାତୀୟ ରାଜପଥ ମରାମତିକୁ ନେଇ ଗୃହରେ ତୁମୁଳ ହଟ୍ଟଗୋଳ ସୃଷ୍ଟି ହୋଇଥିଲା । ରଥଯାତ୍ରାରେ ସ୍ଵାସ୍ଥ୍ୟସେବାକୁ ତ୍ଵରାନ୍ବିତ କରିବାକୁ ନେଇ ଗୃହରେ ସଭ୍ୟ ମାନେ ଗୁରୁତ୍ଵାରୋପ କରିଥିଲେ । ରଥଯାତ୍ରା ନୀତି ନିର୍ଘଂଟ, ଚନ୍ଦନ କାଠ, ବାସୁଙ୍ଗା ପାଟ, ରଥ ଦଉଡ଼ି ଯୋଗାଣ ସମ୍ପର୍କରେ ନୀତି ପ୍ରଶାସକ ଜିତେନ୍ଦ୍ର ମହାପାତ୍ର ବିସ୍ତୃତ ଭାବେ ଆଲୋଚନା କରିଥିଲେ । ରଥଯାତ୍ରା ସମୟରେ ନିରବଚ୍ଛିନ୍ନ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ ଓ ସଡ଼କ ପରିବହନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଏହାସହ ପରିବହନ ବ୍ୟବସ୍ଥା, ରାସ୍ତାଘାଟ ମରାମତି, ପୂର୍ତ ବିଭାଗର କାର୍ଯ୍ୟ, ପୌରସଂସ୍ଥା ଓ ପରିମଳ ବ୍ୟବସ୍ଥା, ସ୍ଵରେଜ୍ ବ୍ୟବସ୍ଥା, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ, ଟେଲିଫୋନ୍ ସେବା, ଅଗ୍ନିଶମ ବିଭାଗର କାର୍ଯ୍ୟ, ସୂଚନା ଓ ପ୍ରସାରଣ ସମ୍ପର୍କରେ ବୈଠକରେ ଆଲୋଚନା ହେବା ସହ ସଭ୍ୟ ମାନେ ଏ ସମ୍ପର୍କରେ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ ।
ଏହି ବୈଠକରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ, ପ୍ରୀତିରଞ୍ଜନ ଘଡ଼େଇ, ତୁଷାରକାନ୍ତି ବେହେରା, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ଵପ୍ନାରାଣୀ ସ୍ଵାଇଁ, ସାଂସଦଙ୍କ ପ୍ରତିନିଧି ଗୌରହରି ପ୍ରଧାନ, କେନ୍ଦ୍ରାଚଂଳ ଡିଜି ନରସିଂହ ଭୋଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କେ. ବିଶାଲ ସିଂହ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦେଇଥିଲେ । ଏହି ବୈଠକରେ ଶ୍ରୀମନ୍ଦିର ସେବାୟତ, ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ମଧ୍ୟ ଉପସ୍ଥିତ ଥିଲେ ।