ବାରିପଦା, ତିନି ଦିନିଆ ମୟୂରଭଞ୍ଜ ଗସ୍ତରେ ଥିବା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ତାଙ୍କ ଗସ୍ତ କରି ଶେଷ କରି ଅପରାହ୍ନ ପ୍ରାୟ ୧ଟା ସମୟରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତନ କରିଛନ୍ତି । ଆଜି ତୃତୀୟ ଦିନରେ ରାଷ୍ଟ୍ରପତି ମୁର୍ମୁ ବାରିପଦା ତଖତପୁର ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସମାବର୍ତନ ଉତ୍ସବରେ ଯୋଗଦାନ କରିଥିଲେ । ବିଶ୍ଵବିଦ୍ୟାଳୟର କୂଳାଧିପତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମାବର୍ତନ ଉତ୍ସବରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ । ଉତ୍ସବ ଶେଷ ପରେ ସେ ବାରିପଦା ହେଲିପ୍ୟାଡରୁ ବାୟୁସେନାର ସ୍ଵତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀ ପ୍ରତ୍ୟାବର୍ତନ କରିଛନ୍ତି ।
ଏହି ଦୁଇ ଦିନିଆ ଗସ୍ତରେ ସେ ଗତକାଲି ଦାଣ୍ଡବୋଷ ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମପୀଠରେ ପହଂଚି ତାଙ୍କ ସମାଧିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହାପରେ ଦାଣ୍ଡବୋଷ ଗ୍ରାମକୁ ଯାଇ ସେଠାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଏଥିସହ ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନରେ କରିଥିଲେ ।