-
ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମପୀଠରେ ପହଂଚି ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ : ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କଲେ
ବାରିପଦା/ରାଇରଙ୍ଗପୁର, ତିନି ଦିନିଆ ମୟୂରଭଞ୍ଜ ଗସ୍ତରେ ଥିବା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦ୍ଵିତୀୟ ଦିନରେ ତାଙ୍କ ରାଇରଙ୍ଗପୁର ମହୁଲଡ଼ିଆ ସ୍ଥିତ ବାସଭବନରୁ ସକାଳେ ବାହାରି ପ୍ରଥମେ କୁଚେଇବୁଢ଼ୀ ଛକ ସ୍ଥିତ ଐଶାନ୍ୟଶ୍ଵର ଶିବ ମନ୍ଦିରକୁ ଯାଇ ଠାକୁର ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ । ପରେ ରାଇରଙ୍ଗପୁର ସ୍ଥିତ ଜଗନ୍ନାଥ ମନ୍ଦିରକୁ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ । ସେଠାରୁ ଦାଣ୍ଡବୋଷ ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମପୀଠରେ ପହଂଚି ତାଙ୍କ ସମାଧିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହାପରେ ଦାଣ୍ଡବୋଷ ଗ୍ରାମକୁ ଯାଇ ସେଠାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ସୁବୁଠୁ ଗୁରୁତ୍ଵପୁର୍ଣ୍ଣ କଥା ହେଉଛି, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୦୦ ତମ ଜନ୍ମବାର୍ଷିକୀ ପାଳନ କରାଯାଉଛି । ଏହାପରେ ଦାଣ୍ଡବୋଷ ଏୟାରଷ୍ଟ୍ରିପରୁ ହେଲିକେପ୍ଟର ଯୋଗେ ଯଶୀପୁର ହେଲିପ୍ୟାଡରେ ପହଂଚିଥିଲେ ରାଷ୍ଟ୍ରପତି । ସେଠାରୁ ସ୍ଵତନ୍ତ୍ର ଗାଡ଼ି ଯୋଗେ ରାଷ୍ଟ୍ରପତି ମୁର୍ମୁ ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନରେ ଯାଇଛନ୍ତି । ଆଜି ସେ ବାରିପଦା ସର୍କିଟହାଉସରେ ରାତ୍ରୀଯାପନ କରିବେ ।
ରାଷ୍ଟ୍ରପତିଙ୍କ ଏହି ଗସ୍ତ ସମୟରେ ତାଙ୍କ ସହିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡ଼ୁ, ରାଇରଙ୍ଗପୁର ବିଧାୟକ ନବଚରଣ ମାଝି ପ୍ରମୁଖ ଦାଣ୍ଡବୋଷ ଏୟାରଷ୍ଟ୍ରିପ ଠାରେ ଉପସ୍ଥିତ ଥିଲେ ।
ଆସନ୍ତାକାଲି ରାଷ୍ଟ୍ରପତି ମୁର୍ମୁ ବାରିପଦା ତଖତପୁର ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସମାବର୍ତନ ଉତ୍ସବରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ।