
ଭୁବନେଶ୍ୱର, ଓଡିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ ଏବଂ ୪.୫ କୋଟି ଓଡିଆ ହେଉଛନ୍ତି ଅତ୍ୟନ୍ତ ଶାନ୍ତିପ୍ରିୟ ଲୋକ । ସେମାନେ ଉଭୟ ଅପରାଧ ଓ ଅପରାଧୀଙ୍କୁ ଘୃଣା କରନ୍ତି । ଓଡିଶାର ସଂସ୍କୃତି ଏବଂ ପରମ୍ପରାରେ ଶାନ୍ତି ଓ ସୌହାର୍ଦ୍ଦ୍ୟକୁ ଗୁରୁତ୍ୱ ଦିଆଯାଏ ଏବଂ ଅପରାଧିକ ପୃଷ୍ଠଭୂମି ଥିବା ଲୋକଙ୍କୁ ଘୃଣା ଚକ୍ଷୁରେ ଦେଖାଯାଇଥାଏ । ତେବେ ଓଡ଼ିଶା ବିଜେପି ରାଜନୀତିରେ ଅପରାଧିକ ପୃଷ୍ଠଭୂମି ଥିବା ଲୋକଙ୍କୁ ଉତ୍ସାହିତ କରୁଥିବାବେଳେ ଓଡ଼ିଶାକୁ ଆଇନହୀନ ବୋଲି ଦର୍ଶାଇବାକୁ ଚେଷ୍ଟା କରୁଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।
ଶୁକ୍ରବାର ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ଝାରସୁଗୁଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ଟଙ୍କଧର ତ୍ରିପାଠୀଙ୍କ ନାମରେ ହତ୍ୟା ଉଦ୍ୟମ ସମେତ ୧୨ ଟି ମାମଲା ରହିଛି । ଓଡିଶା ବିଜେପି ସବୁବେଳେ ଅପରାଧିକ ପୃଷ୍ଟଭୂମି ଥିବା ପ୍ରାର୍ଥୀଙ୍କୁ ହିଁ ସ୍ଥାନ ଦେଇଥାଏ । ପଦମପୁର ଉପନିର୍ବାଚନରେ ଓଡିଶା ବିଜେପି ପ୍ରାର୍ଥୀ କରିଥିବା ପ୍ରଦୀପ ପୁରୋହିତଙ୍କ ବିରୋଧରେ ୧୩ ଟି ଅପରାଧିକ ମାମଲା ବିଚାରାଧୀନ ଅଛି । ଅଇରାସିସ୍ ଆଚାର୍ଯ୍ୟଙ୍କ ବିରୋଧରେ ୧୪ ଟି ମାମଲା ବିଚାରାଧୀନ ଅଛି । ସେହିଭଳି ଓଡିଶା ବିଜେପିର ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିରୋଧରେ ହତ୍ୟା ମାମଲା ସମେତ ୧୬ ଟି ଅପରାଧିକ ମାମଲା ରହିଛି । ଯେତେବେଳେ ଏହାର ନେତାଙ୍କ ବିରୋଧରେ ଏତେଗୁଡ଼ିଏ ଅପରାଧିକ ମାମଲା ରହିଛି, ସେତେବେଳେ ଓଡ଼ିଶା ବିଜେପି କିନ୍ତୁ ଓଡିଶାବାସୀଙ୍କ ସମ୍ମାନହାନୀ କରିବା ପାଇଁ ସେମାନଙ୍କୁ ଆଇନହୀନ ବୋଲି କହିବା ଜାରି ରଖିଛି ।
ଶ୍ରୀ ମହାନ୍ତି କହିଛନ୍ତି ଝାରସୁଗୁଡା ଉପନିର୍ବାଚନରେ ଓଡିଶା ବିଜେପି ନିଜର ଆସନ୍ନ ପରାଜୟକୁ ଦେଖି ବିଜୁ ଜନତା ଦଳର ନେତା ତଥା କର୍ମୀଙ୍କ ଉପରେ ନିର୍ବାଚନ ହିଂସା ଆରମ୍ଭ କରିଦେଇଛି । ମଇ ୨ତାରିଖରେ ଓଡିଶା ବିଜେପି କର୍ମୀ ବିପ୍ର ବାଞ୍ଚୋରଙ୍କ ସମେତ ଓଡିଶା ବିଜେପିର ବହୁ ସମର୍ଥକ ବିଜେଡି କର୍ମୀ ଗୋବିନ୍ଦ ଝରାଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିଥିଲେ । ଝାରସୁଗୁଡା ବିଧାନସଭା ନିର୍ବାଚନୀ କ୍ଷେତ୍ରର ଗୌରପଡା, ଧୁବେନବୁଡା, କୁଲିହାମଲ, କୋଲାବିରା ବ୍ଲକରେ ବିଜେଡି କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ବିଜେଡି କର୍ମୀ ଗୋବିନ୍ଦ ଝରା ଗୁରୁତର ଭାବେ ଆହତ ହୋଇଛନ୍ତି । ମଇ ୩ ତାରିଖ ସନ୍ଧ୍ୟାରେ ବିଜେପି ବିଧାୟିକା ଶ୍ରୀମତୀ କୁସୁମ ଟେଟେଙ୍କ ସମେତ ଝାରସୁଗୁଡା ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଓଡିଶା ବିଜେପିର ଟଙ୍କଧର ତ୍ରିପାଠୀ ପ୍ରଚାର କରୁଥିଲେ । ଏହି ସମୟରେ ମଧ୍ୟ ବିଜେଡି କର୍ମୀଙ୍କୁ ଆକ୍ରମଣ କରାଯାଇଛି ।
ଓଡିଶା ବିଜେପି ନେତାଙ୍କ ଅପରାଧିକ ମାମଲା ତଥା ଝାରସୁଗୁଡା ଉପନିର୍ବାଚନରେ ନିର୍ବାଚନୀ ହିଂସା ତଥା ପଦମପୁର ଏବଂ ବିଜେପୁର ଉପନିର୍ବାଚନର ସମସ୍ତ ଉଦାହରଣ ଦର୍ଶାଉଛି ଯେ ଅପରାଧିକ ରେକର୍ଡ ଥିବା ଲୋକଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଓଡିଶା ବିଜେପି କିପରି ଉତ୍ସାହିତ କରୁଛି । ଏଥିପାଇଁ ଓଡିଶାର ଲୋକମାନେ ଓଡିଶା ବିଜେପିକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି । ଝାରସୁଗୁଡା ଉପର୍ନିବାଚନରେ ମଧ୍ୟ ଓଡିଶା ବିଜେପିକୁ ଅନୁରୂପ ଭାବେ ପ୍ରତ୍ୟାଖ୍ୟାନ କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଶ୍ରୀମତୀ ଲୋରା ମହାପାତ୍ର ଏବଂ ମଧୁସ୍ମିତା ସାହୁ ଉପସ୍ଥିତ ଥିଲେ ।