ସୋନପୁର, ସୋନପୁର ସହର ସ୍ଥିତ କୁଷ୍ଠାଶ୍ରମରେ ଆଜି ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ସ୍ଵାସ୍ଥ୍ୟ ସମ୍ପର୍କୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିଶୁ ଓ ମହିଳା ବିକାଶ ସୋସାଇଟି (ସିଡବ୍ଲୁଡିଏସ୍)ର ଅଧ୍ୟକ୍ଷ ମେଜର ଡା. କଳ୍ପନା ଦାଶଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ କାର୍ଯ୍ୟକ୍ରମକୁ ପ୍ରତାପପୁର ବିଦ୍ୟାଳୟର ଶିକ୍ଷକ ତଥା ସୋସାଇଟିର ସଭ୍ୟ ଗୋପେଶ ପଣ୍ଡା ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଓ ମାୟାବର୍ହା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ରବିଚନ୍ଦ୍ର ପଶାୟତ ଯୋଗ ଦେଇଥିଲେ । ବାହ୍ୟ ପରିବେଶ ସଫାସୁତୁରା ତଥା ବ୍ୟକ୍ତିଗତ ସ୍ଵାସ୍ଥ୍ୟକୁ ଠିକ ରଖିବା ପାଇଁ ସମ୍ମାନୀତ ଅତିଥି ଶ୍ରୀ ମଲ୍ଲିକ ମତ ରଖିଥିଲେ । ଅନ୍ୟତମ ଅତିଥି ରବିଚନ୍ଦ୍ର ପଶାୟତ ହାତ ଧୋଇବାର ୬ଟି ପ୍ରଣାଳୀକୁ ପ୍ରଦର୍ଶନ ମାଧ୍ୟମରେ ଅନ୍ତେବାସୀଙ୍କୁ ଅବଗତ କରିବା ସହିତ ଏହାକୁ ପ୍ରତିଦିନ ଜାରି ରଖିବା ପାଇଁ ସୂଚନା ପ୍ରଦାନ କରିଥିଲେ ।
ଏହି ଅବସରରେ ଅନ୍ତେବାସୀଙ୍କ ଆବେଗିକ ବିକାଶ ପାଇଁ ସଙ୍ଗୀତଗାନ କାର୍ଯ୍ୟକ୍ରମ ହୋଇଥିଲା । ପରେ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ପାଉଁରୁଟି, ବିସ୍କୁଟ, ଫଳ, କଦଳୀ, ସେଓ, ଅଙ୍ଗୁର, ମାସ୍କ, ହାତ ଧୁଆ ସାବୁନ ଆଚି ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିଶୁ ଓ ମହିଳା ବିକାଶ ସୋସାଇଟିର ସଭ୍ୟ ରାମ ନାରାୟଣ ଦାଶ, ପ୍ରଭାକର ଛନ୍ଦ, ରଞ୍ଜିତା ମିଶ୍ର, ପ୍ରଭାକର ଛନ୍ଦ, ଅନୁଭବ ବେହେରା ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ସୋସାଇଟିର ସଭ୍ୟ ଚନ୍ଦ୍ର ଶେଖର ମହାପାତ୍ର ପରିଚାଳନା କରିଥିବା ବେଳେ ଗୁଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।