ଭୁବନେଶ୍ୱର, ମହାନ ବିପ୍ଳବୀ ଧରଣୀଧର ନାଏକ (ଭୂୟାଁ)ଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ, କେନ୍ଦୁଝର ନାଗରିକ ପରିଷଦ, ଭୁବନେଶ୍ୱର ଏବଂ ନିଖିଳ ଭାରତ ଭୂୟାଁ ସାଂସ୍କୃତିକ ସମିତି, ଭୁବନେଶ୍ୱର ତରଫରୁ ଏହି ସତ୍ୟନିଷ୍ଠ ସଂଗ୍ରାମୀଙ୍କୁ ସ୍ଥାନୀୟ ଇଏସ୍ଆଇ ହସ୍ପିଟାଲ ଅବସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।
ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ, ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ, ସୂଚନା ଓ ଲୋକସଂପର୍କ ବିଭାଗର ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀମତୀ ସୂଚେତା ପ୍ରିୟଦର୍ଶିନୀ, କେନ୍ଦୁଝର ଜିଲ୍ଲାର ବିଭିନ୍ନ ସାମାଜିକ-ସାଂସ୍କୃତିକ ଓ ସାହିତ୍ୟିକ ଅନୁଷ୍ଠାନର କର୍ମର୍କା, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଭାଗୀୟ ଅଧିକାରୀମାନେ ବିପ୍ଳବୀ ଧରଣୀଧରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ବିପ୍ଳବୀ ଧରଣୀଧର ହେଉଛନ୍ତି ଜନଜାତି ଅସ୍ମିତା ଓ ସ୍ୱାଭିମାନର ମୂର୍ତିମନ୍ତ ପ୍ରତୀକ । ଇଂରେଜ ଓ ରାଜତନ୍ତ୍ରର ଶୋଷଣ ଓ ଅତ୍ୟାଚାର ବିରୁଦ୍ଧରେ ସେ ଯେଉଁ ବିଦ୍ରୋହ କରିଥିଲେ ସେଥିରେ ହଜାର ହଜାର ସଂଖ୍ୟାରେ ଆଦିବାସୀ ସଂଗ୍ରାମୀମାନେ ସାମିଲ ହୋଇଥିଲେ । ଏହି ବିଦ୍ରୋହ ଅତ୍ୟନ୍ତ ବ୍ୟାପକ ଏବଂ ପ୍ରଭାବଶାଳୀ ହୋଇଥିଲା ଏବଂ ଅତ୍ୟାଚାରୀମାନଙ୍କ ନିଦ ହଜାଇ ଦେଇଥିଲା । ଇଂରେଜ ସରକାର ଧରଣୀଧରଙ୍କୁ କୂଟନୀତି କରି ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲେ । କାରାମୁକ୍ତ ହେବା ପରେ ଧରଣୀଧର ସନ୍ନ୍ୟାସକୁ ଆଦରି ନେଇଥିଲେ । ଏଭଳି ଜଣେ ମହାନ ବିପ୍ଳବୀଙ୍କ ଜୀବନକାହାଣୀ ଉତରପିଢ଼ି ଜାଣିବା ଉଚିତ ବୋଲି ଅତିଥିମାନେ ଏହି ଅବସରରେ ପ୍ରକାଶ କରିଥିଲେ ।