-
ଜନସାଧାରଣଙ୍କ ଭାଗିଦାରୀର ପ୍ରକୃଷ୍ଟ ଉଦାହରଣ ହେଉଛି ସ୍କୁଲ ରୂପାନ୍ତର -ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ସ୍କୁଲ ରୂପାନ୍ତରର ପ୍ରତ୍ୟେକ ସ୍ତରରେ ଜନସାଧାରଣ ସାମିଲ ହୋଇଛନ୍ତି । ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ରୂପାନ୍ତରିତ ସ୍କୁଲର ପରିକଳ୍ପନା ଠାରୁ ଆରମ୍ଭ କରି ରୂପାୟନର ସବୁ ସ୍ତରରେ ସଂଶ୍ଲିଷ୍ଟ ହୋଇଛନ୍ତି । କେଉଁ କାର୍ଯ୍ୟରେ କେତେ ଖର୍ଚ୍ଚ ହେଉଛି, ସେ ବିଷୟରେ ମଧ୍ୟ ସେମାନେ ଜାଣନ୍ତି । ତେଣୁ ସ୍କୁଲ ରୂପାନ୍ତର ହେଉଛି, ଜନ ଭାଗିଦାରୀର ଏକ ପ୍ରକୃଷ୍ଟ ଉଦାହରଣ । ଗୁରୁବାର ଦିନ ସ୍କୁଲ ରୂପାନ୍ତରର ତୃତୀୟ ପର୍ଯ୍ୟାୟର ଚତୁର୍ଥ ଦିନରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି ।
୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଚତୁର୍ଥ ଦିନରେ ଗୁରୁବାର ୫ଟି ଜିଲ୍ଲାର ୩୫୯ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିରେ ଭଦ୍ରକ ଜିଲ୍ଲାର ୧୨୪ଟି ହାଇସ୍କୁଲ, କନ୍ଧମାଳ ଜିଲ୍ଲାର ୭୭ଟି, ଢେଙ୍କାନାଳ ଜିଲ୍ଲାର ୩୫ଟି, ଗଜପତି ଜିଲ୍ଲାର ୮୦ଟି ହାଇସ୍କୁଲ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ୪୩ଟି ହାଇସ୍କୁଲ ଅନ୍ତର୍ଭୁକ୍ତ । ଏହାଦ୍ୱାରା ତୃତୀୟ ପର୍ଯ୍ୟାୟରେ ଚତୁର୍ଥ ଦିନରେ ସମୁଦାୟ ୧୪୯୩ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେଲା । ସୂଚନାଯୋଗ୍ୟ ଯେ ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି । ତିନୋଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହେବ ।
କାର୍ଯ୍ୟକ୍ରମରେ ୫-ଟି ସ୍କୁଲ ରୂପାନ୍ତର ସଂପର୍କରେ ନିଜର ଅଭିଜ୍ଞତା ବର୍ଣ୍ଣନା କରି ଭଦ୍ରକର ଛାତ୍ରୀ ଆୟୁଷା ମଲ୍ଲିକ, କନ୍ଧମାଳର ଛାତ୍ରୀ ପ୍ରମୋଦିନୀ ନାୟକ, ଢେଙ୍କାନାଳର ଭାଗ୍ୟଶ୍ରୀ ବେହେରା, ଗଜପତିର ମମତା ଗମାଙ୍ଗୋ ଓ ସୁବର୍ଣ୍ଣପୁରର ବର୍ଷା ସାହୁ ପ୍ରମୁଖ କହିଲେ ଯେ ୫-ଟି ସ୍କୁଲ ରୂପାନ୍ତର କେବଳ ଆମ ବିଦ୍ୟାଳୟର ଭୌତିକ ଓ ଶୈକ୍ଷିକ ପରିବେଶକୁ ଉନ୍ନତ କରିନାହିଁ, ତା ସହିତ ଆମର ଆତ୍ମବିଶ୍ୱାସ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଛି । ନିଜ ଉପରେ ଆମର ଭରସା ବଢିଛି ।
କାର୍ଯ୍ୟକ୍ରମରେ ଉପସ୍ଥିତ ଭଦ୍ରକ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ଡଃ ବ୍ୟୋମକେଶ ରାଏ, କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନନ୍ଦିନୀ ମଲ୍ଲିକ, ଢେଙ୍କାନାଳ ସାଂସଦ ମହେଶ ସାହୁ, ଗଜପତିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ ସୁବର୍ଣ୍ଣପୁରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରମୁଖ ସେମାନଙ୍କ ମତାମତ ରଖି କହିଥିଲେ ଯେ ସ୍କୁଲ ରୂପାନ୍ତର ଆଗାମୀ ପୀଢିର ଭବିଷ୍ୟତକୁ ଉଜ୍ଜଳ କରିଛି । ଏହା ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ପ୍ରକୃଷ୍ଟ ନିଦର୍ଶନ । ଓଡିଶାକୁ ସବୁ କ୍ଷେତ୍ରରେ ଆଜି ନମ୍ବର ୱାନ କରିବା ସହିତ ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟର ଭବିଷ୍ୟତକୁ ମଧ୍ୟ ସୁରକ୍ଷିତ କରିବା ପାଇଁ ବଳିଷ୍ଠ ପଦକ୍ଷେପ ନେଇଛନ୍ତି ବୋଲି ସେମାନେ କହିଥିଲେ ।
କାର୍ଯ୍ୟକ୍ରମକୁ ପରିଚାଳନା କରି ୫-ଟି ସଚିବ ଭି.କେ. ପାଣ୍ଡିଆନ କହିଥିଲେ ଯେ ସ୍କୁଲ ରୂପାନ୍ତରରେ ଯେଉଁ ସବୁ ସମ୍ପତି ବା ଆସେଟ୍ ସୃଷ୍ଟି ହୋଇଛି, ସେ ସବୁ ସାରା ଓଡିଶାବାସୀଙ୍କ ଟଙ୍କାରେ ନିର୍ମିତ ହୋଇଛି ବୋଲି ପ୍ରକାଶ କରି ସେ କହିଲେ ଯେ ମୁଖ୍ୟମନ୍ତ୍ରୀ ସ୍କୁଲର ଆସେଟ୍ ଗୁଡିକର ରକ୍ଷଣାବେକ୍ଷେଣ ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରନ୍ତି । ତେଣୁ ଆପଣମାନେ ନିଜର ସମ୍ପତି ଭଳି ସ୍କୁଲର ସମ୍ପତିର ରକ୍ଷଣାବେକ୍ଷଣ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଆଶା ଓ ଭରସା ରହିଛି ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବ ଅଶ୍ୱଥୀ ଏସ୍ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଓସେପାର ସ୍ୱତନ୍ତ୍ର ପ୍ରୋଜେକ୍ଟ ଡାଇରେକ୍ଟର ଧନ୍ୟବାଦ ଅର୍ପଣ କରିଥିଲେ । ଉଚ୍ଚଶିକ୍ଷା ବିଭାଗ, ସାମାଜିକ ସୁରକ୍ଷା ବିଭାଗ ଓ ଅନ୍ୟାନ୍ୟ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।