ମାଲକାନଗିରି,ମାଲକାନଗିରି ଆଦର୍ଶ ଥାନା ଅନ୍ତର୍ଗତ ଏମଭି-୪୯ ଗାଁରେ ଅଭାବନୀୟ ଘଟଣା । ନାବାଳିକାଙ୍କୁ ହତ୍ୟା କରି ଶବ ସତ୍କାର କରିଦେଇଥିବା ନେଇ ମୃତକଙ୍କ ମା” ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ମାନବାଧିକାର କର୍ମୀ ଗ୍ରାମବାସୀଙ୍କୁ ଭୟଭୀତ କରାଇ ଟଙ୍କା ମାଗୁଥିବା ନେଇ ଗ୍ରାମବାସୀ ମାଲକାନଗିରି ଥାନାରେ କରିଛନ୍ତି ।ଏନେଇ ମାମଲା ରୁଜୁ କରି ୩ ଜଣ ମାନବାଧିକାର କର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ନାବାଳିକାଙ୍କ ମା” ଅଭିଯୋଗ କରିଛନ୍ତି ଯେ, ଗତମାସ ୨୭ ତାରିଖ ରାତିରେ ତାଙ୍କ ଝିଅ ନିଖୋଜ ହୋଇଯାଇଥିଲେ । ସେ ଝିଅକୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ପରଦିନ ତାଙ୍କ ଘର ପଛରେ ଥିବା ଆମ୍ବ ଗଛରୁ ମୃତଦେହ ଉଦ୍ଧାର ହୋଇଥିଲା । ଘଟଣା ଦିନ ଗାଁର କିଛି ବ୍ୟକ୍ତି ଶବକୁ ଶ୍ମଶାନକୁ ନେଇ ସତ୍କାର କରିଦେଇଥିଲେ । ଏହା ସହ ନାବାଳିକା ଝୁଲି ପଡ଼ିଥିବା ଆମ୍ବଗଛକୁ କାଟି ତଳେ ପକାଇ ଦେଇଥିଲେ ।ମୃତ୍ୟୁର ୭ ଦିନ ପରେ ନିଜକୁ ମାନବାଧିକାର କର୍ମୀର ପରିଚୟ ଦେଇ ୨ ମହିଳା ଓ ୩ ଜଣ ପୁରୁଷ ଏମଭି-୪୯ ଗାଁକୁ ଯାଇଥିଲେ । ମୃତ୍ୟୁ ବିଷୟରେ ପୋଲିସକୁ ନଜଣାଇ ଶବ ସତ୍କାର କରିଥିବାରୁ ଗ୍ରାମବାସୀଙ୍କୁ ୨ ଲକ୍ଷରୁ ଅଧିକ ଟଙ୍କା ଲାଞ୍ଚ ମାଗିଥିଲେ । ମାନବାଧିକାର କର୍ମୀ ଟଙ୍କା ମାଗୁଥିବା ନେଇ ଗ୍ରାମବାସୀ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଲାଞ୍ଚ ମାଗିବା ଅଭିଯୋଗରେ ୩ ଜଣ ମାନବାଧିକାର କର୍ମୀଙ୍କୁ ଗିରଫ କରିଛି ।