ବାରିପଦା/ଭୁବନେଶ୍ୱର, ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାରେ ପହଂଚିଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ୨୦ରେ ସେ ବାୟୁ ସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ରାଇରଙ୍ଗପୁରର ବାଦାମପାହାଡ଼ ଅସ୍ଥାୟୀ ହେଲିପ୍ୟାଡରେ ପହଂଚିଥିଲେ । ସେଠାରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ସାରସକଣା ବିଧାୟକ ବୁଧାନ ମୁର୍ମୁ ଓ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝି ପ୍ରମୁଖ ସ୍ୱାଗତ କରିଥିଲେ ।
ରାଷ୍ଟ୍ରପତି ହେବା ପରେ ଏହା ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ମୟୂରଭଞ୍ଜ ଗସ୍ତ ହୋଇଥିବାରୁ ସେଠାରେ ଲୋକଙ୍କ ଭିତରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଛି । ରାଷ୍ଟ୍ରପତିଙ୍କୁ ଦେଖିବାକୁ ବାଦାମପାହାଡ଼ରେ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେଲିପ୍ୟାଡରୁ ଓହ୍ଲାଇ ଉପସ୍ଥିତ ଲୋକଙ୍କୁ ହାତ ହଲାଇ ଅଭିବାଦନ ଗ୍ରହଣ କରିଥିଲେ । ପରେ ହେଲପ୍ୟାଡରୁ ଚାଲିଚାଲି ଆସି ତୁମେ ମାନେ ଭଲ ଅଛ କି ନାହିଁ ବୋଲି ଲୋକଙ୍କୁ ପଚାରିଥିଲେ । ରାଷ୍ଟ୍ରପତିଙ୍କୁ ପାରମ୍ପରିକ ବାଦ୍ୟ ଓ ନୃତ୍ୟ ସହ ସ୍ୱାଗତ କରାଯାଇଥିଲା ।
ଏହା ପରେ ରାଷ୍ଟ୍ରପତି ପାହାଡପୁର ଅଭିମୁଖେ ଯାଇ ସେଠାରେ ଟ୍ରାଇବାଲ୍ ଡେଭଲପ୍ମେଂଟ ପ୍ରୋଜେକ୍ଟ କମ୍ୟୁନିଟି ସେଂଟର ଓ ଲାଇଭ୍ଲିହୁଡ୍ ପ୍ରୋଗ୍ରାମର ଉଦ୍ଘାଟନ କରିଛନ୍ତି । ପରେ ସେ ହାଟବଦ୍ରା ଠାରେ ବ୍ରହ୍ମକୁମାରୀ କେନ୍ଦ୍ରକୁ ଗସ୍ତ କରିବେ ଏବଂ ସେଠାରେ ବ୍ରହ୍ମ କୁମାରୀ କେନ୍ଦ୍ରର ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନ ଆରମ୍ଭ କରିବେ । ସନ୍ଧ୍ୟାରେ, ରାଷ୍ଟ୍ରପତି ରାଇରଙ୍ଗପୁର ଠାରେ ରାଇରଙ୍ଗପୁର ପୌରପାଳିକା ପକ୍ଷରୁ ତାଙ୍କ ସମ୍ମାନରେ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେବେ ।
ଆଜି ସେ ମହୁଲଡ଼ିହାସ୍ଥିତ ପିଡବ୍ଲୁଡି ବଙ୍ଗଳାରେ ରାତ୍ରିଯାପନ କରିବେ । ମେ’ ୫ ତାରିଖରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମବାର୍ଷିକୀ ଅବସରରେ ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହ ଶିମିଳିପାଳ ଅଭୟାରଣ୍ୟ ବୁଲିବାର କାର୍ଯ୍ୟକ୍ରମ ରହିଛି । ସେହିପରି ୬ ତାରିଖରେ ବାରିପଦାର ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।