
ମାଲକାନଗିରି,ଦେଢ଼ ବର୍ଷ ତଳେ ସ୍ବାମୀଙ୍କ ମୃତ୍ୟୁ ହେବା ପରେ ଦୁଇ ସନ୍ତାନଙ୍କୁ ନେଇ ଏକ ଭଙ୍ଗାଘରେ ପଲିଥିନ୍ ଢାଙ୍କି ରହୁଛନ୍ତି ଜୟନ୍ତୀ ।ସରକାରଙ୍କ ତରଫରୁ ମିଳୁଥିବା ଯୋଜନା ଗୁଡିକ ତାଙ୍କ ପାଇଁ ସାତଶପନ ପାଲଟିଛି!ଆଜି ପର୍ଯ୍ୟନ୍ତ ତାଙ୍କୁ ନା ମିଳିଛି ବିଧବା ଭତା,ରାସନ କାର୍ଡକି ଘର ।କୁଲି କଲେ ପରିବାର ଚଳେ ନଚେତ୍ ଭୋକ ଉପାସରେ ରହିବାକୁ ପଡୁଛି। ଏହି ଭଳି ଦୁର୍ବିସହ ଜୀବନ ବିତାଉଛନ୍ତି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ପୋଡ଼ଘାଟା ପଞ୍ଚାୟତ ଅନ୍ତର୍ଗତ କାଲାପାଲି କୋଲନି ଗ୍ରାମର ଜୟନ୍ତୀ ଖରା। ପତ୍ନୀ ଦୁଇ ପୁଅ ଝିଅକୁ ନେଇ କାଲାପାଲି କୋଲନି ଗ୍ରାମରେ ରହୁଥିଲେ ରାମ ଖରା।ରାମ କୁଲି କରି ଯାହା ରୋଜଗାର କରୁଥିଲେ ସେଥିରେ ପରିବାର ଚଳୁଥିଲା। କିନ୍ତୁ ଦେଢ଼ ବର୍ଷ ତଳେ ରାମଙ୍କ ମୃତୁ ହେବା ପରେ ପତ୍ନୀ ଜୟନ୍ତୀ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଏହାପର ଠାରୁ ନିଜର ଦୁଇ ସନ୍ତାନଙ୍କୁ ବଡ଼ ମଣିଷ କରିବା ପାଇଁ କୁଲି କରୁଛନ୍ତି। ଯୋଉ ଦିନ କାମ ମିଳିନଥାଏ ସେହିଦିନ ଉପାସରେ ରହିବାକୁ ପଡୁଛି। ଅନ୍ୟପଟେ ଜୟନ୍ତୀ ଏକ ଭଙ୍ଗା ଘରେ ପଲିଥିନ୍ ଟାଙ୍ଗୀ ଦୁଇ ସନ୍ତାନଙ୍କ ସହିତ ଦୟନୀୟ ଅବସ୍ଥାରେ ରହୁଛନ୍ତି।ଘର ଚାରିପଟ ଖୋଲା ଥିବାରୁ ସରୀସୃପ ଭୟ ରହୁଛି। ସେହିପରି ଘରଟି ଅତି ଦୟନୀୟ ଅବସ୍ଥାରେ ଥିବାରୁ କେତେବେଳେ କୌଣସି ଅଘଟଣ ଘଟିବା ନେଇ ଆଶଙ୍କା ରହିଛି ବୋଲି ଜୟନ୍ତୀ କହିଛନ୍ତି। ଅନ୍ୟପଟେ ସ୍ବାମୀଙ୍କ ମୃତୁର ଦେଢ଼ ବର୍ଷ ପରେ ମଧ୍ୟ ବିଧବା ଭତା ମିଳିପାରିନାହିଁ ।ଏପରିକି ରାସନ୍ କାର୍ଡ ମଧ୍ୟ ମିଳିନି କି ଆବାସ ଯୋଜନାରେ ଘର ମିଳିପାରିନି। ଦୁଇ ସନ୍ତାନଙ୍କୁ ଆଶ୍ରମ ବିଦ୍ୟାଳୟରେ ପଢ଼ାଇବା ବ୍ୟବସ୍ଥା କରାଗଲେ ଭଲ ହୋଇଥାନ୍ତା ବୋଲି ଜୟନ୍ତୀ କହିଛନ୍ତି। ଏଥି ସହିତ ପକାଘର, ବିଧବା ଭତା ଓ ରାସନ୍ କାର୍ଡ ଯୋଗାଇ ଦେବା ପାଇଁ ସରକାରଙ୍କୁ ଜୟନ୍ତୀ ଓ ଗ୍ରାମବାସୀ ଗୁହାରି କରିଛନ୍ତି।