ଝାରସୁଗୁଡ଼ା – ଝାରସୁଗୁଡ଼ା ଥାନା ଅନ୍ତର୍ଗତ ପୂର୍ଣ୍ଣା ଗ୍ରାମ ଠାରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଟ୍ରକ୍ ଡ୍ରାଇଭରର ମୃତ୍ୟୁ ହୋଇଛି।
ପୋଲିସ ସୂତ୍ରରୁ ପ୍ରକାଶ ଆଜି ଭୋର ୪ଟା ପାଖାପାଖି ଏକ ଖାଲି ଗ୍ୟାସ୍ ବୋଝେଇ ଟ୍ରକ୍ ନଂ (ଓଡ଼ି-୩୩-ୟୁ-୩୧୪୨) ଝାରସୁଗୁଡା ଅଭିମୁଖେ ଆସୁଥିଲା। ଏହି ସମୟରେ ପୂର୍ଣ୍ଣା ଗ୍ରାମ ନିକଟରେ ରାସ୍ତା କଡରେ ଆଗରୁ ଛିଡା ହୋଇଥିବା ଆଉ ଗୋଟିଏ ଟ୍ରକ୍ ନଂ (ଓଆର-୦୯କେ-୦୩୫୧)କୁ ଏହା ପଛରୁ ଧକ୍କା ଦେଇଥିଲା । ଫଳରେ ଗ୍ୟାସ୍ ବୋଝେଇ ଟ୍ରକର ଡ୍ରାଇଭର ଗୋପାଳ ନାଏକ ଭିତରେ ଚାପି ହୋଇଯିବାରୁ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ହୋଇଥିଲା। ଘଟଣା ସମ୍ପର୍କରେ ଝାରସୁଗୁଡା ପୋଲିସ ଖବର ପାଇ ଗ୍ରାମବାସୀଙ୍କ ସହାୟତାରେ ଗ୍ୟାସ୍ କଟର ଯୋଗେ ଟ୍ରକକୁ କାଟି ମୃତ ଡ୍ରାଇଭରକୁ ବାହାର କରିଥିଲେ। ଡ୍ରାଇଭର ଜଣକ ଅନୁଗୁଳର ବୋଲି ଜଣାପଡିଛି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଛି ।