ଭୁବନେଶ୍ୱର, ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ଓ ଉଦୟଗିରି ପର୍ଯ୍ୟଟନସ୍ଥଳୀକୁ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡିଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ଶ୍ରୀମତୀ ଷଡଙ୍ଗୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ ପୂର୍ବରୁ ଏହି ଦୁଇ ଐତିହ୍ୟସ୍ଥଳ ଭାରତୀୟ ପ୍ରତ୍ନତତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ସ୍ମାରକ ଭାବେ ଘୋଷଣା ହୋଇସାରିଛି । ଏଏସଆଇ ଏହାର ରକ୍ଷଣାବେକ୍ଷଣ କରୁଛି । ଖଣ୍ଡଗିରି ଓଉଦୟଗିରି ଗୁମ୍ଫାରେ ଜୈନ ଧର୍ମକୁ ନେଇ ଅନେକ ପଥର ଖୋଦିତ ସ୍ମାରକ ରହିଛି । ପ୍ରଥମ ଖ୍ରୀଷ୍ଟାବ୍ଦର ସମ୍ରାଟ ଖାରବେଳ ସମୟରେ ଅନେକ ଶିଳାଲିପି ମଧ୍ୟ ପାହାଡରେ ଖୋଦିତ ହୋଇ ରହିଛି । ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫାରେ ହୋଇଥିବା ପଥର ଖୋଦେଇ କଳା ଗ୍ରୀକ ଏବଂ ରୋମର ଭାସ୍କର୍ଯ୍ୟ କଳା ସହ ସାମଞ୍ଜସ୍ୟ ରହିଛି ।
ଏଥିପ୍ରତି ଗୁରୁତ୍ୱ ଦେଇ ଦୁଇ ଐତିହ୍ୟକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କଲେ ଏହି ଦୁଇ ଐତିହ୍ୟର ସୁନ୍ଦର ଭାବେ ରକ୍ଷଣବେକ୍ଷଣ ହୋଇପାରିବ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ।