ନୂଆଦିଲ୍ଲୀ, କୋଭିଡ-୧୯କାଳରେ କ୍ଷତିଗ୍ରସ୍ତ ହୋଇଥିବା ଏମ୍ଏସ୍ଏମ୍ଇ ଉଦ୍ୟୋଗଗୁଡିକୁ ସହାୟତା ପ୍ରଦାନ କରିବା ନିମନ୍ତେ କେନ୍ଦ୍ର ସରକାର “ବିବାଦ ସେ ବିଶ୍ୱାସ-୧” ଯୋଜନା ଆରମ୍ଭ କରିଛନ୍ତି । ଅର୍ଥ ମନ୍ତ୍ରଣାଳୟର ବ୍ୟୟବିଭାଗ ପକ୍ଷରୁ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରାମନ ତାଙ୍କର ୨୦୨୩-୨୪ ବଜେଟ୍ରେ କରୋନା ମହାମାରୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଦେଶର ଏମ୍ଏସ୍ଏମ୍ଇ ଶିଳ୍ପ ସଂସ୍ଥାଗୁଡିକୁ ସହାୟତା ଯୋଗାଇବା ବିଷୟ ଘୋଷଣା କରିଥିଲେ । ଏହି ସହାୟତା ଯୋଜନାଟି କେନ୍ଦ୍ରୀୟ ବଜେଟ୍ର ୬୬ନମ୍ବର ପାରାଗ୍ରାଫ୍ରେ ଉଲ୍ଲେଖ ଅଛି । ଏଥିରେ କୁହାଯାଇଛି, “କୋଭିଡ କାଳରେ ଏମ୍ଏସ୍ଏମଇମାନେ ଯଦି ଚୁକ୍ତିକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥାନ୍ତି ତା’ହେଲେ ସେମାନଙ୍କ ବିଡ୍ର୯୫% କିମ୍ବା ପରଫରମାନ୍ସ ସିକ୍ୟୁରିଟି (ଅମାନତ ରାଶି) ସେମାନଙ୍କୁ ସରକାର କିମ୍ବା ସରକାରୀ ଉପକ୍ରମରେ ଥିବା ସଂସ୍ଥା ଫେରାଇଦେବେ । ଏହା ଫଳରେ ଏମ୍ଏସ୍ଏମଇଗୁଡିକ ଉପକୃତ ହେବେ ।
ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ପକ୍ଷରୁ ଏହି ମର୍ମରେ ୨୦୨୩ ଫେବୃୟାରୀ ୬ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଏଥିରେ ଏହି ଯୋଜନାର ସବିଶେଷ ବିବରଣୀ ଓ ତଥ୍ୟ ରହିଛି । ଏ ସଂକ୍ରାନ୍ତ ଚୂଡାନ୍ତ ନିର୍ଦ୍ଦେଶାବଳୀ ୨୦୨୩ ଏପ୍ରିଲ ୧୧ତାରିଖରେ ପ୍ରକାଶ ପାଇଥିଲା । ସେଥିରେ କ୍ଷତିଗ୍ରସ୍ତ ଏମ୍ଏସ୍ଏମ୍ଇଗୁଡିକୁ ସହାୟତା ପ୍ରଦାନ ପାଇଁ ଆବେଦନ ସମୟ ମିଆଦି ବୃଦ୍ଧି, କେତେ ଟଙ୍କା ଫେରସ୍ତ ଦିଆଯିବ ଓ ଆଉ କେତେକ ତଥ୍ୟ ରହିଥିଲା । ଏହା ପରେ ଏହି ଯୋଜନାଟିକୁ ୨୦୨୩ ଏପ୍ରିଲ ୧୭ତାରିଖରୁ କାର୍ଯ୍ୟକାରୀ କରାଯାଇଛି । ଯେଉଁ ଏମ୍ଏସ୍ଏମଇ ଉଦ୍ୟୋଗ କରୋନା ମହାମାରୀ କାରଣରୁ ସରକାରଙ୍କ ସହିତ କରିଥିବା ଚୁକ୍ତିକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିବେ ସେମାନେ ନିଲାମ ବା ବିଡ୍ ବାବଦରେ ଦେଇଥିବା ଅର୍ଥର ୯୫% କିମ୍ବା ପ୍ରଦର୍ଶନଭିତ୍ତିକ ଅମାନତ ଅର୍ଥ ବା ପରଫରମାନ୍ସ ସିକ୍ୟୁରିଟି ଫେରି ପାଇବାକୁ ନିର୍ଦ୍ଧାରିତ ତାରିଖ ୨୦୨୩ ଜୁନ ୩୦ତାରିଖ ସୁଦ୍ଧା ଆବେଦନ କରିପାରିବେ । ସେମାନଙ୍କୁ “ବିବାଦ ସେ ବିଶ୍ୱାସ-” ଯୋଜନାରେ ଏହି ଅର୍ଥ ଫେରସ୍ତ ଦିଆଯିବ ।
କୋଭିଡ ମହାମାରୀ ମାନବ ଇତିହାସର ଏକ ଅନ୍ୟତମ ବୃହତ ସଙ୍କଟ ଥିଲା । ଏହାର କୁପ୍ରଭାବ ଅର୍ଥନୀତି ଉପରେ ଗୁୁରୁତର ଭାବେ ପଡିଥିଲା ଏବଂ କ୍ଷୁଦ୍ର, ଅତି କ୍ଷୁଦ୍ର ଓ ମଧ୍ୟମ (ଏମ୍ଏସ୍ଏମ୍ଇ) ଉଦ୍ୟୋଗଗୁଡିକର ବ୍ୟବସ୍ଥା ଶୋଚନୀୟ ହୋଇଥିଲା । ଫଳରେ ସରକାର ଓ ସରକାରୀ ସଂସ୍ଥାକୁ ସାମଗ୍ରୀ ଯୋଗାଇବାକୁ ଯେଉଁସବୁ ଉଦ୍ୟୋଗ ଚୁକ୍ତି କରି ନିଲାମରେ ଭାଗ ନେଇଥିଲେ ସେମାନେ ପ୍ରାୟତଃ କେହି ଏହାକୁ କାର୍ଯ୍ୟକାରୀ କରିପାରି ନଥିଲେ । ଫଳରେ ସେମାନଙ୍କର ବିପୁଳ ଅମାନତ ଅର୍ଥ ସରକାରଙ୍କ ପାଖରେ ପଡି ରହିବାରୁ ଆର୍ଥିକ ଦୃଷ୍ଟିରୁ ସେମାନେ ଅଧିକ ଦୁର୍ବଳ ହୋଇଥିଲେ । ଏହାକୁ ଅନୁଭବ କରି ସରକାର କ୍ଷତିଗ୍ରସ୍ତ ସମ୍ପୃକ୍ତ ଉଦ୍ୟୋଗୀମାନଙ୍କୁ ସେମାନଙ୍କ ଅର୍ଥ ଫେରାଇ ସାହାଯ୍ୟ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏବେ ତାହା କାର୍ଯ୍ୟକାରୀ ହେବାକୁ ଯାଉଛି । ଏହା ଫଳରେ ଏହି ଉଦ୍ୟୋଗ ବିଶେଷ ଉପକୃତ ହେବ ।
ଏହି ଯୋଜନାରେ ସବୁ ମନ୍ତ୍ରଣାଳୟକୁ କୋଭିଡକାଳିନ ବିଭିନ୍ନ ଅମାନତ ଜମା ଯଥା ପରଫରମାନ୍ସ ସିକ୍ୟୁରିଟି, ବିଡ୍ ସିକ୍ୟୁରିଟି ଏବଂ ଜବତ ହୋଇଥିବା ଲିକ୍ୟୁଡେଟେଡ ଡ୍ୟାମେଜ ଅର୍ଥ, କାଟି ରଖାଯାଇଥିବା ଅର୍ଥ ଆଦିକୁ ସମ୍ପୃକ୍ତ ଏମ୍ଏସ୍ଏମ୍ଇଗୁଡିକୁ ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଆହୁରି ମଧ୍ୟ ମହାମାରୀ ଯୋଗୁଁ ଚୁକ୍ତି ଭଙ୍ଗ କରିବାକୁ ବାଧ୍ୟ ହୋଇଥିବା ଏମ୍ଏସ୍ଏମ୍ଇ ଉଦ୍ୟୋଗକୁ ଆଉ କୌଣସି ସରକାରୀ ନିଲାମରେ ଭାଗ ନେବାକୁ ଅନୁମତି ନ ଦେବାକୁ ଯେଉଁ ନିୟମ ଥିଲା ସରକାର ତାହାକୁ ପ୍ରତ୍ୟାହାର କରି ନେଇଛନ୍ତି ।
କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ଏହି ଯୋଜନା ମାଧ୍ୟମରେ ମହାମାରୀ ପ୍ରଭାବିତ ଏମ୍ଏମ୍ଏମ୍ଇଗୁଡିକୁ ନିମ୍ନଲିଖିତ ଅତିରିକ୍ତ ସୁବିଧା ସୁଯୋଗ ଓ ଲାଭ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।