ଭୁବନେଶ୍ୱର, ଓଡ଼ିଶାର କୋଟିଆ ସୀମା ବିବାଦ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । କୋଟିଆ ସୀମା ବିବାଦ ଓଡ଼ିଶା ସରକାର ଓ ନବୀନ ବାବୁଙ୍କ ତଂଟିରେ କଂଟାହୋଇ ଲାଗିବା ଆରମ୍ଭ କରିଛି । କୋଟିଆରେ ଆନ୍ଧ୍ର ସରକାରଙ୍କ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀମାନଙ୍କର ଅନୁପ୍ରବେଶ ବାରମ୍ବାର ହେଉଥିବାବେଳେ ଓଡ଼ିଶା ସରକାର ଚୁପ୍ ବସିଛନ୍ତି । ବିଜେଡି ଓ ରାଜ୍ୟ ସରକାରଙ୍କ କୋଟିଆ ପ୍ରସଙ୍ଗରେ ଅସଲ ଆଭିମୁଖ୍ୟ କ’ଣ ବୋଲି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
କୋଟିଆ ବିବାଦରେ ସରକାରୀ ଦଳର ବନ୍ଧୁମାନେ ମଧ୍ୟ କୋଟିଆ ପ୍ରସଙ୍ଗରେ ପାଟି ଖୋଲୁନାହାନ୍ତି । ଓଡିଶାରେ ୨୩ବର୍ଷ ଶାସନ କାଳରେ ରାଜ୍ୟ ସରକାରଙ୍କ ଉତର ଦାୟିତ୍ୱ କଣ ତାହା ବୁଝିବାକୁ ବୋଧହୁଏ ନବୀନ ବାବୁ ଓ ତାଙ୍କ ଆନୁଗତ୍ୟମାନେ ବୁଝିବାରେ ବିଫଳ ହୋଇଛନ୍ତି । କୋଟିଆ ଓଡ଼ିଶାରେ ରହିବ ନା ଆନ୍ଧ୍ରରେ ମିଶିବ ଏହି ପଶ୍ନ ଏବେ ସାଧାରଣ ଲୋକମାନଙ୍କ ମନରେ ଉଙ୍କି ମାରୁଛି । ଏନେଇ ଓଡ଼ିଶାପ୍ରଦେଶ ଓ ଜନତା ସନ୍ଦେହରେ ରହିଛନ୍ତି । ଉତ୍କଳ ଦିବସ ପାଳନ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ଥିତି ପରୀକ୍ଷା ପାଇଁ ଯାଇ କହିଲେ, କୋଟିଆ ଆମର, ଆନ୍ଧ୍ର ଗୋ ବ୍ୟାକ ଶ୍ଲୋଗାନ ଦେଇ ଆନ୍ଧ୍ର ଅଫିସରମାନଙ୍କୁ ମାଟିରୁ ବିଦା କଲେ । ଏକଥାକୁ ବିଜେଡି ସରକାର ସମର୍ଥନ କରିବା ବଦଳରେ ସମାଲୋଚନା କରିବା ଆଦୌ ଉଚିତ ନଥିଲା ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଆନ୍ଧ୍ରର ଉପମୁଖ୍ୟମନ୍ତ୍ରୀ ଆସି କୋଟିଆରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆନ୍ଧ୍ର ସରକାରଙ୍କ ଷ୍ଟିକର ଲଗାଇଲେ । ଆନ୍ଧ୍ରର ବିଭିନ୍ନ ଯୋଜନା ସମ୍ବନ୍ଧରେ ପ୍ରଲୋଭନ ଦେଖାଇବା, କୋଟିଆ ହେଉଛି ଆନ୍ଧ୍ରର ଅଂଚଳ କହିବା ଏକଥାକୁ ରାଜ୍ୟ ସରକାର ବୋଧହୁଏ ହଜମ କରିସାରିଛନ୍ତି । ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାଣଙ୍କ ଭୁଲ ନୀତି ଓ ଅବହେଳା କାରଣରୁ ଆଜି ଓଡ଼ିଶା ତାର ହକ୍ ହରାଇବାକୁ ବସିଛି । ଓଡ଼ିଶାର ଅଧିକାର, ଅସ୍ମିତା, ସମ୍ମାନ ସହିତ କାହାକୁ ଖେଳିବାକୁ ଦିଆଯିବ ନାହିଁ ବୋଲି ଭାରତୀୟ ଜନତା ପାର୍ଟିର ନିଷ୍ପତି ନେଇଛି । ମାସକ ଭିତରେ ଯଦି ଓଡ଼ିଶାର ମୁଖ୍ୟମନ୍ତ୍ରୀ କୋଟିଆ ପ୍ରସଙ୍ଗରେ ସମାଧାନ ନେଇ କିଛି ଠୋସ୍ ପଦକ୍ଷେପ ନନେବେ ତାହାଲେ ସାରା ଓଡ଼ିଶାରେ ଅଯୋଗ୍ୟ ମୁଖ୍ୟମନ୍ତ୍ରୀ ଗାଦି ଛାଡ ଆନ୍ଦୋଳନ କରିବାକୁ ବିଜେପି ଚେତାବନୀ ଦେଉଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।