ସମ୍ବଲପୁର,ହନୁମାନ ଜୟନ୍ତୀ ସମୟରେ ସମ୍ବଲପୁରରେ ଘଟିଥିବା ହିଂସାକାଣ୍ଡର ତଦନ୍ତ ପାଇଁ ବିଜେପିର ୪ ଜଣିଆ କେନ୍ଦ୍ରୀୟ ଯାଞ୍ଚ ଟିମ୍ ସମ୍ବଲପୁରରେ ପହଂଚିଛନ୍ତି । ରାଜ୍ୟସଭା ସାଂସଦ ବ୍ରିଜଲାଲଙ୍କ ନେତୃତ୍ୱରେ ଏହି ଜାଂଚ ଟିମ ଆଜି ମୃତକ ଚନ୍ଦ୍ରମଣି ମିର୍ଦ୍ଧାଙ୍କ ଗାଁ ଝାରମୁଣ୍ଡା ଓ ତାଙ୍କ ଘରକୁ ଯାଇଥିଲେ। ହେଲେ ତାଙ୍କ ଘରେ ତାଲା ପଡିଥିଲା । ଏହି କାରଣରୁ ସେମାନେ ଚନ୍ଦ୍ରମଣି ମିର୍ଦ୍ଧାଙ୍କ ପରିବାର ସହ ଦେଖାସାକ୍ଷାତ କରି ପାରି ନାହାନ୍ତି । ଏହାପରେ ସେମାନେ ପଡ଼ୋଶୀଙ୍କ ସହ ଆଲୋଚନା କରିଥିଲେ।
ଏହି ଟିମରେ ଉତ୍ତରପ୍ରଦେଶ ରାଜ୍ୟସଭା ସାଂସଦ ବ୍ରିଜଲାଲଙ୍କ ବ୍ୟତୀତ ଝାଡ଼ଖଣ୍ଡ ରାଜ୍ୟସଭା ସାଂସଦ ସମୀର ଓରାଓଁ, ଆଦିତ୍ୟ ସାହୁ ଏବଂ ପଶ୍ଚିମବଙ୍ଗ ପୁରୁଳିଆ ସାଂସଦ ଜ୍ୟୋତିର୍ମୟ ସିଂ ମହତୋ ସଦସ୍ୟ ରହିଛନ୍ତି।
ଏହି ଜାଂଚ ଦଳ ସହ ବରଗଡ଼ ସାଂସଦ ସୁରେଶ ପୂଜାରୀ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତାରାୟ ପ୍ରମୁଖ ମଧ୍ୟ ରହିଥିବା ଜଣା ପଡିଛି ।