ପୁରୀ, ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଶ୍ରୀନଅର ସମ୍ମୁଖ ରଥଖଳାରେ ବିଶ୍ଵକର୍ମା ମହାରଣା ଓ ଭୋଇ ସେବାୟତ ମାନେ ରଥ ନିର୍ମାଣରେ ଲାଗି ପଡିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଚକ ନିର୍ମାଣ କାର୍ଯ୍ୟ ଚାଲିଛି । ଇତିମଧ୍ୟରେ ତୁମ୍ବରେ ବିନ୍ଧ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି । ତିନି ରଥର ୪୨ ଚକ ପାଇଁ ନିର୍ମାଣ ହୋଇଛି ୪୨ଟି ତୁମ୍ବ । ମହାରଣା ମାନେ ସେଥିରେ ବିନ୍ଧ କରୁଛନ୍ତି । ତୁମ୍ବ ଗୁଡିକରେ ବିନ୍ଧ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ସେଥିରେ ଅର ଏବଂ ପହି ସଂଯୋଗ କରାଯିବ । ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ସାରିବାକୁ ବିଶ୍ଵକର୍ମା ମହାରଣା ମାନେ ପ୍ରୟାସ ଜାରୀ ରଖିଛନ୍ତି ।
ସେହିପରି ଦୋଳବେଦୀ କୋଣ ଅସ୍ଥାୟୀ କମାର ଶାଳରେ କମାର ସେବକମାନେ ଲୁହାଛଡ଼ କାଟି ଅର କଂଟା ଏବଂ ପନ୍ଦାରିବଳା ପ୍ରସ୍ତୁତ କରୁଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ଅକ୍ଷୟ ତୃତୀୟାରେ ରଥ ନିର୍ମାଣର ଅନୁକୂଳ ହୋଇଥିଲା । ରଥ ଅମିନ, ଚିତ୍ରକାର, ରୂପକାର, ଦରଜି ସେବକ, ଓଝା ସେବକ, ଭୋଇ ସେବକ ମାନେ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଜୁନ୍ ୨୦ରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ ।