ଗଞ୍ଜାମ, ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀଙ୍କ ଦ୍ଵିବାର୍ଷିକ ଯାତ୍ରା ଆଜି ପ୍ରତ୍ୟୁଷରେ ଶେଷ ହୋଇଛି । ଗତକାଲି ମା ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରରୁ ନିମନ୍ତ୍ରଣ ଆସିବା ପରେ ବାପା ଦେଶୀ ବେହେରା (ପି. ଦୂର୍ଗାପ୍ରସାଦ)ଙ୍କ ପରିବାର ପକ୍ଷରୁ ମାଆଙ୍କୁ ବିଦାୟ ଦେବାକୁ ସମସ୍ତ ପର୍ବ ଆରମ୍ଭ ହୋଇଥିଲା । ଶୋକାକୂଳ ପରିବେଶରେ ମାଙ୍କୁ ବିଦାୟ ଦିଆଯାଇଥିଲା । ବିଳମ୍ବିତ ରାତିରେ ମାଙ୍କ ଘଟକୁ ଏକ ବିରାଟ ପଟୁଆରରେ ପିତା ପି. ଦୂର୍ଗାପ୍ରସାଦ ଓ ମାତା ପି. ଦେବକୀ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ମା ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ଅଭିମୁଖେ ବାହାରିଥିଲେ । ମାଙ୍କ ଘଟ ଆଜି ପ୍ରତ୍ୟୁଷରେ ମନ୍ଦିରରେ ପହଂଚିଥିଲା ।
ଏହି ବିଦାୟ ଶୋଭାଯାତ୍ରାରେ ହଜାର ହଜାର ମହିଳା ଶ୍ରଦ୍ଧାଳୁ ନିଜ ମୁଣ୍ଡରେ ଘଟ କଳସି ମୁଣ୍ଡାଇ ସାମିଲ୍ ହୋଇଥିବା ଦେଖିବାକୁ ମିଳିଥିଲା । ମାଙ୍କୁ ବିଦାୟ ବେଳେ ବାପାଘରୁ ମଧ୍ୟ ବିଭିନ୍ନ ଭାର ଅର୍ପଣ କରାଯାଇଛି । ଦୀର୍ଘ ୨୮ ଦିନ ଧରି ଏହି ଯାତ୍ରା ଅନୁଷ୍ଠିତ ହୋଇଥିଲା ।