ଭୁବନେଶ୍ୱର, ଛତିଶଗଡ଼ରେ ମାଓବାଦୀ ମାନଙ୍କ ଆକ୍ରମଣ ପରେ ଓଡ଼ିଶାରେ ସବୁ ସୀମାନ୍ତ ଜିଲ୍ଲାରେ ଏବେ ହାଇ ଆଲର୍ଟ ଜାରି କରାଯାଇଛି । ଅତିରିକ୍ତ ଡିଜି, ଅପରେସନ ଅମିତାଭ ଠାକୁର ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଜିଲ୍ଲାରେ ପୂର୍ବରୁ ହାଇ ଆଲର୍ଟ କରାଯାଇଥିବା ବେଳେ ଏବେ ବରଗଡ଼ ଓ କଳାହାଣ୍ଡିରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି ।
ସେ ଆହୁରି କହିଛନ୍ତି ଯେ ଆମ ରାଜ୍ୟକୁ ୯୦ ପ୍ରତିଶତ ମାଓବାଦୀ ଛତିଶଗଡ଼ରୁ ହିଁ ଆସିଥାନ୍ତି । ତେଣୁ ଏହି ଘଟଣା ପରେ ଛତିଶଗଡ଼ରୁ କିଭଳି ମାଓବାଦୀମାନେ ରାଜ୍ୟକୁ ନ ଆସିବେ ସେ ନେଇ ସମସ୍ତ ସୀମାନ୍ତ ଜିଲ୍ଲାକୁ ସିଲ୍ କରି ଦିଆଯାଇଛି । ସୀମାନ୍ତ ଜିଲ୍ଲାର ଏସପିମାନଙ୍କ ସହ ଭିଡିଓ କନ୍େଫରେନ୍ସିଂ ଜରିଆରେ ସ୍ଥିତିର ଅନୁଧ୍ୟାନ କରାଯାଉଛି । ମାଓ କ୍ୟାମ୍ପରେ ମହିଳା ମାଓବାଦୀଙ୍କୁ ଯୌନ ଶୋଷଣ କରାଯାଉଛି । ଯେତେବେଳେ ମହିଳା ମାଓବାଦୀ ଆତ୍ମ ସମର୍ପଣ କରୁଛନ୍ତି ସେମାନେ ଏହିଭଳି କାହାଣୀ ପୁଲିସ ଆଗରେ କହୁଛନ୍ତି । ତେଣୁ ସମସ୍ତ ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଜଣାଇଛନ୍ତି ।