
ରଥନିର୍ମାଣକାର୍ଯ୍ୟର ଅଷ୍ଟମ ଦିବସରେ ତିନିରଥର ମୋଟ ମହାରଣା-୭୦,ତିନିରଥର ଭୋଇ ସେବକ -୫୧,ତିନିରଥର କରତି ସେବକ – ୪,ତିନିରଥର କମାର ସେବକ – ୧୨,ପାହି ମହାରଣା -୧,ତୁମ୍ବବିନ୍ଧ କାରିଗର-୧,ରଥଖଳା ସହାୟକ (ପାଣିବାଲା)-୧ କୁ ମିଶାଇ ମୋଟ-୧୪୦ ଜଣ ଉପସ୍ଥିତ ଥିଲେ |
ସୋମବାର ରଥ ନିର୍ମାଣର ଅଷ୍ଟମ ଦିନ ରେ ରଥ ନିର୍ମାଣକାରୀ ସେବକ ବୃନ୍ଦ ସକାଳ ଘ.୮.୦୦ ଟାରେ ରଥ ଖଳା ଠାରେ ଉପସ୍ଥିତ ହୋଇ ଉପସ୍ଥାନ ଦେଲାପରେ ରଥ ନିର୍ମାଣ କାର୍ଯ୍ୟରେ ଲାଗିଥିଲେ । ଆଜିର ନିର୍ମାଣ କାର୍ଯ୍ୟ ଶେଷ ବେଳକୁ ତିନି ରଥର ମୋଟ ୪୨ ଗୋଟି ତୁମ୍ବର ୧୬ ଯୋଡ଼ା ଲେଖାଁଏ ବିନ୍ଧ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଅଛି ।ଆସନ୍ତା କାଲି ତିନିରଥର ତୁମ୍ବ ଗୁଡିକରେ ଅର କଣ୍ଟା ବସିବାପାଇଁ ଅଗର ବିନ୍ଧ କରାଯିବାସହ ତୂମ୍ବରେ ଅର ସଂଯୋଗ ପାଇଁ ହୋଇଥିବା ବିନ୍ଧ ଗୁଡିକର ଆବଶ୍ୟକତାକୁ ପରଖାଯାଇ ନିହାଣ ମରା ସଂଶୋଧନ କାର୍ଯ୍ୟ କରାଯିବ । ଏଥି ସହିତ ଦୋଳବେଦୀ ସ୍ଥ ଅସ୍ଥାୟୀ କମାର ଶାଳରେ ତିନିରଥର ଓଝା ବା କମାର ସେବକ କାରିଗର ମାନେ ତିନି ରଥର ୧୦ ଗୋଟି ଲେଖାଁଏ ଚକ ପାଇଁ ଆବଶ୍ୟକ ଅର କଣ୍ଟା(୬/୭” ସଇଜ) ନିର୍ମାଣ ଆଜି ସୁଦ୍ଧା ଶେଷ କରିବା ସହ ଦୁଇଟି ଲେଖାଁଏ ଚକ ପାଇଁ ଆବଶ୍ୟକ ପନ୍ଧାରୀ ବଳା ନିର୍ମାଣ ଶେଷ କରିଛନ୍ତି ।ଏହି ସୂଚନା ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରଦାନ କରାଯାଇଥିଲା |