
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ସଂଘର୍ଷ ସମିତି ର ଆବାହକ ତଥା ପୁରୀ ର ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ନେତୃତ୍ୱ ରେ ଆମ “ଜମି ଆମକୁ ଫେରାଇଦିଅ” ଅଭିଯାନ ରେ ସମିତି ର ସଭାପତି ଦାମୋଦର ପ୍ରଧାନ, ବିଶ୍ଵନାଥ ପ୍ରଧାନ,ହର ପ୍ରସାଦ ଜେନା,ପର୍ଶୁରାମ ପ୍ରଧାନ, ପ୍ରଭାକର ସ୍ୱାଇଁ, ମଧୁସୂଦନ ରାଉତରାୟ,ନଅ ଦେଶ ସଭାପତି ଯୋଗେନ୍ଦ୍ର ପ୍ରଧାନ, ଦାମୋଦର ନାୟକ, କୈଳାଶ ଚନ୍ଦ୍ର ସ୍ୱାଇଁ, ଅଭିନ୍ନ ସ୍ୱାଇଁ ପ୍ରମୁଖଙ୍କ ସହ ବାଇଶି ମୌଜା ର ପ୍ରତିନିଧିମାନଙ୍କ ସହ ଭୁଆଁ ଗ୍ରାମରେ ଶୁଭାରମ୍ଭ କରାଯାଇଥିଲା। ଗ୍ରାମର ସଭାପତି ଶରତ ଚନ୍ଦ୍ର ଗୋଚ୍ଛାୟତ ସଂଘର୍ଷ ସମିତି ର ପ୍ରତିନିଧିମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦେଇ ସମ୍ମାନିତ କରିଥିଲେ।
ଗ୍ରାମସଭା ରେ ଆବାହକ ଉମାବଲ୍ଲଭ ରଥ ବେଦାନ୍ତ ବିଶ୍ଵବିଦ୍ୟାଳୟ ନାଁ ରେ ଗରିବ ଲୋକମାନଙ୍କ ଜମି ଓ ମହାପ୍ରଭୁ ଜଗନ୍ନାଥ ଙ୍କ ଅମୃତମଣୋହି ଜମିକୁ କିପରି ଭାବରେ ହଡ଼ପ କରିବା ପାଇଁ ରାଜ୍ୟ ସରକାର ଓ ଅନିଲ ଅଗ୍ରୱାଲ ଫାଉଣ୍ଡେସନ କିପରି ଷଡ଼ଯନ୍ତ୍ର କରିଥିଲେ, ଏହି ଷଡ଼ଯନ୍ତ୍ର କୁ ବାଇଶି ମୌଜା ର ଚାଷୀ, ଶ୍ରୀମନ୍ଦିର ସେବାୟତମାନେ ଓ ସ୍ଥାନୀୟ ଅଞ୍ଚଳ ର ଲୋକମାନେ କିପରି ପର୍ଦାଫାସ କରିଛନ୍ତି, ଓ ଶେଷରେ ମହାପ୍ରଭୁ ଜଗନ୍ନାଥ ଏହି ଜମି କୁ ରକ୍ଷା କରିବାରେ ସହାୟକ ହୋଇଛନ୍ତି, ସେ କଥା ବର୍ଣ୍ଣନା କରିଥିଲେ। ଦୀର୍ଘ ୧୬ବର୍ଷ ଧରି ଚାଷୀମାନେ ଏହାର ବିରୋଧ କରି ବିଭିନ୍ନ ପ୍ରକାର ନିର୍ଯାତନା ର ଶିକାର ହେବା, ମିଥ୍ୟା ମକଦ୍ଦମା ରେ ଛନ୍ଦି ହେବା ଓ ଜେଲ୍ ରେ ଖଟିବା ଏମିତି ବହୁ କଷଣ ସହି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ରେ ବିଜୟ ଲାଭ କରିବା, ଇତିହାସ ରେ ଲିପିବଦ୍ଧ ହୋଇରହିବ। ୧୬ବର୍ଷ ଧରି ଚାଷୀମାନେ କୃଷିଋଣ ରୁ ବଞ୍ଚିତ, ଫସଲ ବୀମା ରୁ ବଞ୍ଚିତ ମଣ୍ଡି ରେ ଧାନ ବିକିବାରୁ ବଞ୍ଚିତ ହୋଇ ମଧ୍ୟ ସରକାର ଓ କମ୍ପାନୀ ବିରୁଦ୍ଧରେ ସଂଗ୍ରାମ ଜାରି ରଖି ଆସିଛନ୍ତି। ଏଥିସହିତ ସମସ୍ତେ ଏକତାବଦ୍ଧ ହୋଇ ଆମ ଜମି ଆମକୁ ଫେରାଇଦିଅ ଅଭିଯାନ କୁ ସଫଳ କରିବା ପାଇଁ ଆସନ୍ତା ମାସରେ ଏକ ବଡ଼ ଧରଣ ର ସାଧାରଣ ସଭା ର ଆୟୋଜନ କରାଯିବା ପାଇଁ ସ୍ଥିର କରାଯାଇଛି ବୋଲି ଆବାହକ ଶ୍ରୀ ରଥ ସୂଚନା ଦେଇଥିଲେ।