ଗଞ୍ଜାମ, ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀଙ୍କ ୨୮ ଦିନିଆ ଯାତ୍ରା ଆଜି ଉଦଯାପିତ ହେବାକୁ ଯାଉଛି । ଆଜି ବିଳମ୍ବିତ ରାତିରେ ମା ବୁଢ଼ୀ ଠାକୁରାଣୀ ବାପା ଘର ଦେଶୀ ବେହେରା ସାହି ଅସ୍ଥାୟୀ ମଣ୍ଡପରୁ ନିଜ ମନ୍ଦିରକୁ ବାହୁଡ଼ିବେ । ସେଥିପାଇଁ ଜିଲ୍ଲା ପ୍ରଶାସନ ଏବଂ ଯାତ୍ରା ପରିଚାଳନା କମିଟି ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ହୋଇଛି । ସୋମବାର ଯାତ୍ରାର ଶେଷ ଦିନରେ ମାଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପାଇଁ ସକାଳ ଠାରୁ ଦିନତମାମ ଏଠାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଶ୍ରଦ୍ଧାଳୁ ମାନେ ଶୃଙ୍ଖଳିତ ଭାବେ ଧାଡ଼ିରେ ଯାଇ ଅସ୍ଥାୟୀ ମଣ୍ଡପରେ ମାଙ୍କ ଦର୍ଶନ କରୁଛନ୍ତି ।
ଯାତ୍ରା ଉଦଯାପନର ଅବ୍ୟବହିତ ପର୍ବରୁ ଗତକାଲି ଫାଇଭ୍-ଟି ସଚିବ ଭି.କେ. ପାଣ୍ଡିଆନ ବ୍ରହ୍ମପୁର ଆସି ଅସ୍ଥାୟୀ ମଣ୍ଡପରେ ମା ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ କରିଛନ୍ତି । ଏହି ଅବସରରେ ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଏବଂ ଓଡ଼ିଶା କାଜୁ ନିଗମର ଚେୟାରମେନ ସୁବାଷ ଚନ୍ଦ୍ର ମହାରଣା ଏବଂ ଯାତ୍ରା କମିଟିର କର୍ମକର୍ତା ତଥା ବହୁ ସଂଖ୍ୟାରେ ଦଳିୟ କର୍ମକର୍ତା ସେଠାରେ ଫାଇଭ୍-ଟି ସଚିବଙ୍କୁ ଭବ୍ୟ ସ୍ଵାଗତ ଜଣାଇଥିଲେ । ଏହି ଅବସରରେ ଫାଇଭ୍-ଟି ସଚିବ ଶ୍ରୀ ପାଣ୍ଡିଆନ ମା ବୁଢ଼ୀ ଠାକୁରାଣୀଙ୍କ ସ୍ଥାୟୀ ମନ୍ଦିରକୁ ଆଧୁନିକୀକରଣ କରାଯିବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏଥିପାଇଁ ୧୫ ଦିନ ମଧ୍ୟରେ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବା ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ, ଅପ୍ରେଲ ୪ ତାରିଖରୁ ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହୋଇଥିଲା ।