ଗଞ୍ଜାମ,ଗଞ୍ଜାମ ଜିଲ୍ଲାର ପଛୁଆ ବର୍ଗର ଲୋକ ମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ କାର୍ଯ୍ୟ ଆଜି ଠାରୁ ଆରମ୍ଭ ହୋଇଛି । ଏହା ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସର୍ଭେରେ ସେମାନଙ୍କର ବୃତି ଓ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ । ପଛୁଆ ବର୍ଗର ଲୋକ ମାନଙ୍କର ବୃତି, ଶିକ୍ଷାଗତ ଯୋଗ୍ୟତା ସହିତ ସେମାନଙ୍କର ପରିବାରର ଲୋକମାନେ କେଉଁ ପ୍ରକାର ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଛନ୍ତି ସେ ବିଷୟରେ ସୂଚନା ମିଳିବା ଦ୍ଵାରା ସେମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ବନ୍ଧରେ ସଠିକ୍ ତଥ୍ୟ ପ୍ରାପ୍ତ ହୋଇପାରିବ । ସର୍ଭେ କାର୍ଯ୍ୟ ସଠିକ୍ ଓ ନିର୍ଭୁଲ ଭାବେ ପରିଚାଳନା କରିବାକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସର୍ଭେରେ ନିୟୋଜିତ ଅଧିକାରୀ ଓ କର୍ମଚାରୀ ମାନେ ଛୁଟୀରେ ରହିପାରିବେ ନାହିଁ । ଆଜି ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧାରିତ ସେଂଟର ଗୁଡିକ ପ୍ରତିଦିନ ସକାଳ ୧୦ଟାରୁ ଦିନ ୧୨ଟା ଏବଂ ଅପରାହ୍ନ ୩ଟା ଠାରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିବ । ମଇ ୨୧ ରୁ ୨୭ ତାରିଖ ପର୍ଯ୍ୟନ୍ତ ସର୍ଭେରେ ନିୟୋଜିତ କର୍ମଚାରୀ ମାନେ ଘରକୁ ଘର ବୁଲି ସର୍ଭେ କରିବେ । ସମସ୍ତ ସରକାରୀ ଛୁଟି ଏପରିକି ରବିବାର ଦିନ ମଧ୍ୟ ସର୍ଭେ କାର୍ଯ୍ୟ ଚାଲୁ ରହିବ । ଆଇନଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ପାଟ୍ରୋଲିଂ କରାଯିବ ।
ଏଠାରେ ଉଲ୍ଲେଖଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ୨୪୦ ୱାର୍ଡ ଏବଂ ୫୦୩ ଗ୍ରାମପଂଚାୟତରେ ଏହି ସର୍ଭେ କାର୍ଯ୍ୟ ହେବ । ଏଥି ସକାଶେ ସମୁଦାୟ ୧୮୩୮ ଗୋଟି ସର୍ଭେ ସେଂଟର ବ୍ୟବସ୍ଥା ହୋଇଛି । ସମୁଦାୟ ୨୨୯୬ ଜଣ ଏନୁମେଟର୍ ଏବଂ ୨୩୬ ଜଣ ସୁପରଭାଇଜରଙ୍କୁ ଦାୟୀତ୍ଵ ପ୍ରଦାନ କରାଯାଇଛି । ବ୍ଲକ୍ ସ୍ତରରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଗଣ, ବିଜ୍ଞାପିତ ଅଂଚଳ ଓ ପୌରାଚଂଳରେ କାର୍ଯ୍ୟନିର୍ବାହୀ ଅଧିକାରୀଗଣ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟର ସୁପରିଚାଳନା କରୁଛନ୍ତି । ଜିଲ୍ଲା ସ୍ତରରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀ ଭାବେ ଦାୟୀତ୍ଵ ସମ୍ପାଦନ କରୁଛନ୍ତି । ଏ କ୍ଷେତ୍ରରେ ଡେପୁଟି କଲେକ୍ଟର ସୁକାନ୍ତ ମିଶ୍ର ସୁପରିଚାଳନା ଦାୟୀତ୍ଵରେ ରହିଛନ୍ତି ।
ପ୍ରକାଶ ଥାଉକି, ଏଥି ସକାଶେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଗତ ଶୁକ୍ରବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ସଚେତନତା ରଥର ଶୁଭାରମ୍ଭ କରିଥିଲେ ।