
ବଲାଙ୍ଗିର, ବାହାଘର ଭୋଜି ପରଷୁଥିବା ସମୟରେ ବିଦ୍ୟୁତ ଆଘାତରେ ଜଣକର ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ସହର ଖରସେଲପଡାରେ। ଗତ ରାତିରେ କ୍ଷମା ସାହୁଙ୍କ ଝିଅଙ୍କ ବାହାଘର ଥିଲା। ଅନ୍ୟ ବନ୍ଧୁବାନ୍ଧବଙ୍କ ସହିତ ନିଜ ସମ୍ପର୍କୀୟ ଘରକୁ ବାହାଭୋଜି ଖାଇବା ପାଇଁ ଆସିଥିଲେ ଦେଓଗାଁ ବ୍ଲକ ବହଲି ଗାଁ ର ଗୋକୁଳ ସାହୁ। ବାହାଘର ଭୋଜି ପରଷୁଥିବା ସମୟରେ ଏକ ଲୁହା ଖମ୍ବକୁ ସେ ହାତରେ ଧରି ଦେଇଥିଲେ। ସଙ୍ଗେ ସଙ୍ଗେ କରେଣ୍ଟ ଲାଗି ଗୋକୁଳଙ୍କ ଜୀବନ ଚାଲିଯାଇଥିଲା। ଲୁହା ଖୁଣ୍ଟରେ ଏକ ହେଲୋଜେନ ଲାଇଟ ଲଗାଯାଇଥିଲା। ସେହି ଲାଇଟରୁ ସର୍ଟସର୍କିଟ ହୋଇ କରେଣ୍ଟ ଲାଗିଥିବା ଅନୁମାନ କରାଯାଉଛି। ଟାଉନ ପୋଲିସ ମୃତକଙ୍କ ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଅଧିକ ତଦନ୍ତ ଜାରୀ ରଖିଛି। ଘଟଣା ପରେ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି। ମୃତ ଗୋକୁଳ ଜଣେ ପାଇପ ମିସ୍ତ୍ରୀ ଥିଲେ।