ରେଶମ ସହର ବ୍ରହ୍ମପୁରରେ ଏବେ ମା ମହାମାୟୀ ବୁଢୀ ଠାକୁରାଣୀଙ୍କ ଦ୍ଵିବାର୍ଷକୀ ଯାତ୍ରା ଧୁମଧାମରେ ଗହଳ ଚହଳ ପକାଇ ଚାଲିଛି । ରେଶମ ପାଟର ସହରରେ ମା ବୁଢୀ ଠାକୁରାଣୀ ପାଟ ଶାଢ଼ୀ ମନ୍ଦାର ଫୁଲ ମାଳରେ ମଣ୍ଡିତ ହୋଇ ଅସ୍ଥାୟୀ ମନ୍ଦିରରେ ବାପ ଘରେ ଆସ୍ଥାନ ଜମାଇ ବସିଛନ୍ତି ଓ ବିଭିନ୍ନ ଦିନରେ ବିଭିନ୍ନ ସାହିକୁ ବୁଲି ଯାଉଛନ୍ତି । ସମଗ୍ର ବ୍ରହ୍ମପୁର ସହର ଉତ୍ସବମୁଖର ହୋଇ ଉଠିଛି । ଗଞ୍ଜାମ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରକୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଭକ୍ତ ଛୁଟି ଆସୁଛନ୍ତି ମା ମହାମାୟୀ ବୁଢୀ ଠାକୁରାଣୀଙ୍କ ଯାତ୍ରା ଦେଖିବାକୁ ଓ ମାଙ୍କୁ ଦର୍ଶନ କରିବା ପାଇଁ । ସହରର ବିଭିନ୍ନ ସ୍ଥାନରେ ଗଳି ବଜାର ସାହିରେ ସହଣୀକ ଭକ୍ତମାନେ ବିଭିନ୍ନ ବେଶ ବୁଲୁଥିବା ବେଳେ ବିଭିନ୍ନ ରଥ ବିଭିନ୍ନ ସାହିରେ ଉଭା ହୋଇଛନ୍ତି । ଜନ ଜୀବନର ପ୍ରାଣ ପିଣ୍ଡ ମା ମହାମାୟୀ ବୁଢୀ ଠାକୁରାଣୀ । କିମ୍ବଦନ୍ତୀ ଓ ଲୋକ କଥା ଅନୁଯାୟୀ, ଚୈତ୍ରମାସ ମଙ୍ଗଳବାର କଳା ଅନ୍ଧାର ମଧ୍ୟ ରାତିରେ ଏକ ଲତା ବୁଦା ମୂଳେ କଳା ଶାଢୀ ପିନ୍ଧି କଳା କେଶ ରାଶିକୁ ମୁକୁଳା ରଖି ନିରୋଳାରେ ଏକାକିନୀ କାନ୍ଦୁଥିବା ଏକ ଝିଅକୁ ଦେଶୀ ବେହେରା ବା ଡେରା ପରମ ଭକ୍ତ ପୂଜକ ବାହାରକୁ ଆସିଲେ ଓ କାନ୍ଦୁଥିବା ଶୁଣି ଦୟାର୍ଦ ହୃଦୟରେ ପାଖକୁ ଯାଇ ପଚାରିଲେ “ଝିଅ ତୁ କିଏ । କାହିଁକି ଏ ନିରୋଳା ମଧ୍ୟରାତ୍ରରେ ଏକାକିନୀ ଏଠାରେ ଠିଆ ହୋଇ କାନ୍ଦୁଛୁ? କ୍ରନ୍ଦନରତ ଝିଅଟି କହିଲା,”ଘରୁ ବାହାରି ଆସିଲି, କିନ୍ତୁ ବାପ ଘରକୁ ରାସ୍ତା ନ ପାଇ କାନ୍ଦୁଛି ।” ଦେଶୀବେହେରା କହିଲେ ଠିକ୍ ଅଛି ଝିଅ ଆଜି ମୋ ଘରେ ରାତିରେ ରହିଯାଆ । ସକାଳୁ ତୋତେ ତୋ ବାପ ଘରେ ଛାଡି ଆସିବି । ଆଜିଠାରୁ ତୁ ମୋର ଝିଅ । ଆଗେ ଆଗେ ଝିଅଟି ଗଲା ଓ ପଛେ ପଛେ ଦେଶୀବେହେରା ବୁଢା ଯାଉଥାନ୍ତି । ବ୍ରହ୍ମପୁର ପୁରୁଣା ଶାନ୍ତିପୀଠ ଗ୍ରାମ ଦେବତୀ ମନ୍ଦିର ନିକଟରେ ଲତା ଗୁଳ୍ମ ମଧ୍ୟରେ ନିମିଷକ ମଧ୍ୟରେ ଝିଅଟି ଅନ୍ତର୍ଦ୍ଧାନ ହୋଇଗଲା । ଦେଶୀବେହେରା ତାଜୁକ ଅବାକ ହୋଇ ସ୍ଵପ୍ନ ଦେଖିଥିବା ପରି ଅନୁଭବ କରିଲେ । କେତେ ଖୋଜିଲେ । ମ୍ରିୟମାଣ ହୋଇପଡିଲେ ଓ ଘରକୁ ଫେରି ଶେଜକୁ ଗଲେ । ହେଲେ ନିଦ ହେଲାନି । ରାତି ପାହିଲା ଓ ନିତ୍ୟକର୍ମ ସାରି ଚଢୁଆରେ ମନ୍ଦାର ଫୁଲ ଭରି ଗ୍ରାମ ଦେବତୀ ଠାକୁରାଣୀଙ୍କ ସେବା କରିବା ପାଇଁ ଗଲେ । ହେଲେ ସେ ଯେତୋଟି ଯେତେ ଥର ମନ୍ଦାର ଫୁଲ ମା ଠାକୁରାଣୀଙ୍କ ମଥାରେ ଦେବା ମାତ୍ରେ ଫୁଲ ପଡି ଯାଇଥିଲା । ଶୂନ୍ୟ ବାଣୀ ହେଲା ” ବାପା କାଲି ରାତିରେ ପରା ମୋତେ ଝିଅ କରିନେଲେ । ଆଉ ଝିଅକୁ ବାପା କ’ଣ ପୂଜା କରିବା କଥା କି ? ହେଲେ ତୁମେ ଏବେ ମନ୍ଦିରରୁ ବାହାରିବା ବେଳକୁ ଯାହାକୁ ଦେଖିବ ସେ ହିଁ ମୋର ପୂଜକ ହେବ । ଦୁଇ ବର୍ଷରେ ଥରେ ତୁମେ ଯେବେ ମୋତେ ବାପ ଘରକୁ ଡାକିନେବ ମୁଁ ବୁଲି ଆସିବି । ମନ୍ଦିରରୁ ଦେଶୀବେହେରା ବୁଢା ବାହାରିବା ବେଳେ ପ୍ରଥମେ ଏକ ନାପିତକୁ ଦେଖିଲେ । ସେ ନାପିତ ମା ବୁଢୀ ଠାକୁରାଣୀ ଙ୍କ ପ୍ରତିଦିନ ସେବା ପୂଜା ଉପାସନା କରିବା ପାଇଁ ସ୍ନାନ ସାରି ଶୁଦ୍ଧ ବସ୍ତ୍ର ପିନ୍ଧି ସେହି ଦିନଠାରୁ ମହାମାୟାଙ୍କ ସେବକ ରୂପେ ପୂଜା କରିଲେ । ତାପରେ ଭଲ ଶୁଭ ତିଥିରେ ଶୁଭ ଖୁଂଟି ପୋତି ଅସ୍ଥାୟୀ ମଣ୍ଡପ ବେଦୀକୁ ସଜାଇ ମା ବୁଢୀ ଠାକୁରାଣୀ (ଝିଅ)କୁ ଡାକି ଆଣିଲେ । ତାପରେ ଦ୍ଵିବାର୍ଷକୀ ଯାତ୍ରା ଆରମ୍ଭ ହେଲା ।
ଗଞ୍ଜାମ ଜିଲ୍ଲାର ସଂସ୍କୃତି ପରମ୍ପରା ଅନୁଯାୟୀ, କାହାଳୀ, ତୁରୀ, ବାଜା ଘଂଟ ମୃଦଙ୍ଗ ବଜାଇ ଆଡମ୍ବର ସହକାରେ ଶୋଭାଯାତ୍ରାରେ ମା ଙ୍କ ଘଟ ନିଆଯାଏ । ବ୍ରହ୍ମପୁର ମା ବୁଢୀ ଠାକୁରାଣୀ ଙ୍କ ପୂଜା ଉପାସନା ଉଭୟ ଦ୍ରାବିଡ଼ ସଂସ୍କୃତିର ପରିଚାୟକ ଦେଶୀ ବେହେରା ଓ ଆର୍ଯ୍ୟ ସଂସ୍କୃତିର ଆଧାର ନାପିତ । ଉଭୟର ମିଶ୍ରଣରେ ମହାମାୟୀଙ୍କ ଯାତ୍ରା ଓ ପୂଜା ଉପାସନା କରାଯାଉଛି । ବିଭିନ୍ନ ସାହିରେ ଯାତ୍ରା ସମୟରେ କଳାକୁଞ୍ଜ ଓ ମେଢ ତିଆରି କରାଯାଏ । ସେହିପରି ବିଭିନ୍ନ ଭକ୍ତ ମାନସିକ କରି ବିଭିନ୍ନ ବେଶରେ ପ୍ରଥମେ ମାଙ୍କୁ ଦର୍ଶନ କରିବା ପରେ ସାହି ପଡିଶା ଓ ବନ୍ଧୁ ବାନ୍ଧବଙ୍କ ଘରୁ ମେଲାଣି ନେଇ ଶେଷରେ ମାଙ୍କ ସେବା ପାଇଁ ପାଇଥିବା ଅର୍ଥ ଦ୍ରବ୍ୟକୁ ଅର୍ପଣ କରିଥାନ୍ତି । ମଇ ୧ ତାରିଖରେ ମା ବୁଢୀ ଠାକୁରାଣୀ ନଗର ପରିକ୍ରମା ଓ ବାପ ଘରେ ରହଣୀ ସାରି ନିଜ ଆସ୍ଥାନ ମନ୍ଦିରକୁ ଫେରି ଆସିବେ ଓ ଚଳିତ ବର୍ଷ ର ଯାତ୍ରାର ପରିସମାପ୍ତି ହେବ । ବିଜିପୁରରେ ଶହ ଶହ ଭକ୍ତ ଲଣ୍ଡା ହୋଇ ବୁଦ୍ଧ ବେଶରେ ଶୋଭାଯାତ୍ରା କରିବେ ଓ ଗାନ୍ଧୀନଗରରେ ୧୦୮ ଜଣ ହନୁମାନ ବେଶରେ ସଜ୍ଜିତ ହୋଇ ପଟୁଆରରେ ବାହାରିଥିଲେ । ଯାତ୍ରା ସମୟରେ ମା ବୁଢୀ ଠାକୁରାଣୀଙ୍କୁ ଦର୍ଶନ କରିବା ପାଇଁ ଅସ୍ଥାୟୀ ମଣ୍ଡପ ବେଦୀକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସି ମାଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି ।