
ପୁରୀ, ପୁରୀ ରଥଯାତ୍ରା ପାଇଁ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ବଡ଼ଦାଣ୍ଡ ରଥଖଳାରେ ବିଶ୍ଵକର୍ମା ମହାରଣା ମାନେ ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଚକ ନିର୍ମାଣ କାର୍ଯ୍ୟ ଚାଲିଛି । ତିନି ରଥ ପାଇଁ ନିର୍ମାଣ ହେଉଛି ୪୨ଟି ତୁମ୍ବ । ସୂତା ବାଡିଆ ପରେ ଆଜି ତୁମ୍ବରେ ବିନ୍ଧ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ତୁମ୍ବ ଗୁଡିକରେ ବିନ୍ଧ କରାଯିବା ପରେ ଅର ଏବଂ ପହି ସଂଯୋଗ କରାଯିବ ।
ଶୁକ୍ରବାର ସଂନ୍ଧ୍ୟା ସୁଦ୍ଧା ତିନି ରଥର ୪୨ ତୁମ୍ବ ଗୋଲେଇ ଶେଷ ହୋଇଥିଲା । ମୁଖ୍ୟ ମହାରଣା ସେଥିରେ ସୂତା ବାଡେଇ ବିନ୍ଧ ପାଇଁ ଚିହ୍ନ ଦେଇଥିଲେ । ସେହିପରି ଦୋଳବେଦୀ କୋଣ ଅସ୍ଥାୟୀ କମାର ଶାଳରେ କମାର ସେବକମାନେ କଂଟା, କବଜା ପ୍ରସ୍ତୁତ କରୁଛନ୍ତି ।
ଅକ୍ଷୟ ତୃତୀୟାରେ ରଥ ନିର୍ମାଣର ଅନୁକୂଳ ହୋଇଥିଲା । ରଥ ଅମିନ, ଚିତ୍ରକାର, ରୂପକାର, ଦରଜି ସେବକ, ଓଝା ସେବକ, ଭୋଇ ସେବକ ମାନେ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଜୁନ୍ ୨୦ରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ ।