ବଲାଣି, ରାଷ୍ଟ୍ରାୟତ ଉଦ୍ୟୋଗ ଭାରତୀୟ ଇସ୍ପାତ ପ୍ରାଧିକରଣ(ସେଲ୍)ର ରାଉରକେଲା ଇସ୍ପାତ କାରଖାନା ଅଧିନସ୍ଥ ଓଡିଶା ଖଣି ସମୂହର ସବୁଠାରୁ ବଡ ଖଣି ଭାବରେ ପରିଚିତ ବଲାଣି ଲୌହ ଖଣିରେ ବାହାର ରାଜ୍ୟର ଯୁବକଙ୍କ ନିଯୁକ୍ତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦିନକୁ ଦିନ ଅଶାନ୍ତି ବୃଦ୍ଧି ପାଇବାକୁ ଲାଗିଛି । ସେଲ୍ ପ୍ରଶାସନ ସ୍ଥାୟୀ ନିଯୁକ୍ତିରେ ସ୍ଥାନୀୟ ଅଂଚଳବାସୀଙ୍କୁ କୌଣସି ଅଗ୍ରାଧିକାର ଦେଉ ନଥିବାରୁ ଏହି ଅଶାନ୍ତି ଦେଖା ଦେଇଛି ।
ପ୍ରକାଶ ଥାଉକି, ୧୯୯୭ ମସିହାରେ ସ୍ଥାନୀୟ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବା ପରେ ଗୋଟିଏ ପିଢିଙ୍କୁ ଏହି ସୁଯୋଗରୁ ବଞ୍ଚିତ କରାଯାଇଥିଲା । ପରେ ୨୦୧୦ ମସିହାରେ ବଲାଣି ଖଣିର ଲିଜ ଅବଧି ସମାପ୍ତି ପରେ ଏକ ଜନଶୁଣାଣୀ ଆୟୋଜନ ହୋଇଥିଲା । ସେଥିରେ ସ୍ଥାନୀୟ ଅଧିବାସୀ ସ୍ଥାୟୀ ନିଯୁକ୍ତି ଦାବି କରିଥିଲେ । ସେଥିପାଇଁ ସେଲ୍ କର୍ତୁପକ୍ଷ ବାଧ୍ୟବାଧକତାରେ ୯୦ ଜଣଙ୍କ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରି ଦୀର୍ଘ ୯ ବର୍ଷ ପରେ ସ୍ଥାନୀୟ ବେକାର ଯୁବକଙ୍କୁ ସ୍ଥାୟୀ ନିଯୁକ୍ତିରେ ଅଗ୍ରାଧିକାର ଦିଆଯାଇ ନିଯୁକ୍ତି ପ୍ରଦାନ କରାଯାଇଥିଲା । ତେବେ ବର୍ତ୍ତମାନ ସେଲ୍ କର୍ତୁପକ୍ଷ ବିଭିନ୍ନ ପର୍ଯ୍ୟାୟରେ ସର୍ବନିମ୍ନ ସ୍ତରର (ଏସ୍-୧) ପଦରେ ସ୍ଥାୟୀ ନିଯୁକ୍ତିରେ ସର୍ବଭାରତୀୟ ସ୍ତରରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରି ବାହାର ରାଜ୍ୟରୁ ଅନେକ ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରୁଥିବାରୁ ବଲାଣି ଖଣି ଯୋଗୁଁ କ୍ଷତିଗ୍ରସ୍ତ ପରିବାର ଓ ଖଣି ପ୍ରଭାବିତଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଉଛି । ସର୍ବନିମ୍ନ ସ୍ତର ଏସ୍ -୧ ପଦରେ ସର୍ବଭାରତୀୟ ସ୍ତରରେ ନିଯୁକ୍ତି ପ୍ରକ୍ରିୟା ଆୟୋଜନ ହେଉଥିବା ଯୋଗୁଁ ଖଣି ପ୍ରଭାବିତ ଅଞ୍ଚଳରେ ସଫଳତା ହାସଲ କରିବାରେ ଦରକାର ପଡୁଥିବା ଭିତ୍ତିଭୂମିର ଅଭାବ ଯୋଗୁଁ ସ୍ଥାନୀୟ କ୍ଷତିଗ୍ରସ୍ତ ଓ ପ୍ରଭାବିତ ଅଞ୍ଚଳର ବେକାର ଯୁବକ ଯୁବତୀ ଏହି ନିଯୁକ୍ତି ପ୍ରକ୍ରିୟାରେ ସଫଳ ହୋଇପାରୁନାହାନ୍ତି । ଫଳରେ ସ୍ଥାନୀୟ ବେକାର ଯୁବକ ଯୁବତୀ ସ୍ଥାୟୀ ନିଯୁକ୍ତିରୁ ସିଧାସଳଖ ବଞ୍ଚିତ ହେଉଛନ୍ତି । ଖଣି ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ଏଠାକାର ସ୍ଥାନୀୟ ଯୁବକ ସର୍ବଭାରତୀୟ ସ୍ତରରେ ହେଉଥିବା ନିଯୁକ୍ତି ପ୍ରକ୍ରିୟାରେ କିପରି ସଫଳ ହୋଇପାରିବେ ସେନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏଠିକାର କ୍ଷତିଗ୍ରସ୍ତ ଓ ଖଣି ପ୍ରଭାବିତ ଅଞ୍ଚଳର କିଛି ବେକାର ଯୁବକ ଯୁବତୀ କେବଳ ଠିକା ଶ୍ରମିକ ଭାବରେ ନିଯୁକ୍ତି ସୁଯୋଗ ପାଉଥିବା ବେଳେ ସ୍ଥାୟୀ ନିଯୁକ୍ତି ପାଇବା ସେମାନଙ୍କ ପାଇଁ ସାତ ସପନ ପାଲଟିଛି । ଖଣି ଅଞ୍ଚଳର ଦୁର୍ଭାଗ୍ୟର ବିଷୟ ଯେ, ଏଠାକାର ସ୍ଥାନୀୟ ଜନ ପ୍ରତିନିଧି ଓ ନେତୃସ୍ଥାନୀୟ ବ୍ୟକ୍ତି ନିଜର ସ୍ଵାର୍ଥ ଓ ବ୍ୟବସାୟକୁ ଗୁରୁତ୍ଵ ଦେଇ ସ୍ଥାନୀୟ ସ୍ଥାୟୀ ନିଯୁକ୍ତି ଭଳି ଏକ ଗମ୍ଭୀର ସମସ୍ୟା ଉପରେ ଗୁରୁତ୍ଵ ଦେଉନଥିବାରୁ ସ୍ଥାନୀୟ ଅଧିବାସୀ ଓ ବେକାର ଯୁବକ ଯୁବତୀ ମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ଏହା ଜନ ଆନ୍ଦୋଳନର ରୂପ ନେବ ବୋଲି ସ୍ଥାନୀୟ ଜନସାଧାରଣରେ ଆଲୋଚନାର ବିଷୟ ପାଲଟିଛି ।