ଭୁବନେଶ୍ୱର, ସମ୍ବଲପୁର ହନୁମାନ ଜୟନ୍ତୀ ହିଂସାର ଅନୁଧ୍ୟାନ ପାଇଁ ଆସନ୍ତା ମେ ୧ ତାରିଖରେ ବିଜେପିର କେନ୍ଦ୍ରୀୟ ଅନୁଧ୍ୟାନ କମିଟି ସମ୍ବଲପୁର ଗସ୍ତରେ ଆସିବେ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଶନିବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଉତର ପ୍ରଦେଶର ରାଜ୍ୟସଭା ସାଂସଦ ବ୍ରଜଲାଲଙ୍କ ନେତୃତ୍ୱରେ ଗଠିତ ୪ ଜଣିଆ କମିଟି ୧ ତାରିଖରେ ଓଡିଶାରେ ପହଂଚି ୨ ତାରିଖରେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବ । ଏହାସହ ସେମାନେ ହଂସାରେ ମୃତ ଚନ୍ଦ୍ରମଣି ମିର୍ଦ୍ଧାଙ୍କ ଘରକୁ ଯାଇ ମଧ୍ୟ ପରିବାର ଲୋକଙ୍କ ଆଲୋଚନା କରିବେ ।
ସୂଚନାଯୋଗ୍ୟ, ହନୁମାନ ଜୟନ୍ତୀ ସମୟରେ ସମ୍ବଲପୁରରେ ଘଟିଥିବା ହିଂସାକାଣ୍ଡର ଅନୁଧ୍ୟାନ ପାଇଁ ବିଜେପି ଜାତୀୟ ସଭାପତି ଜେ.ପି ନଡ୍ଡା ଗତକାଲି ୪ ଜଣିଆ ଯାଂଚ ଟିମ୍ ଗଠନ କରିଥିଲେ । ଉକ୍ତ କମିଟିରେ ଉତର ପ୍ରଦେଶର ରାଜ୍ୟସଭା ସାଂସଦ ବ୍ରଜଲାଲ, ଝାଡ଼ଖଣ୍ଡ ରାଜ୍ୟସଭା ସାଂସଦ ସମୀର ଓରାଓଁ ଓ ଆଦିତ୍ୟ ସାହୁ ଏବଂ ପଶ୍ଚିମବଙ୍ଗ ପୁରୁଲିଆ ସାଂସଦ ଜ୍ୟୋତିର୍ମୟ ସିଂ ମହତୋ ସଦସ୍ୟ ରହିଛନ୍ତି । ଏହି କମିଟି ଘଟଣାସ୍ଥଳକୁ ଯାଇ ଯାଂଚ କରି ସଭାପତିଙ୍କୁ ରିପୋର୍ଟ ଦେବ ।