ମାଲକାନଗିରି, ମାଲକାନଗିରିରେ ପ୍ରଥମ କରି ଆକାଶବାଣୀ ଏଫ.ଏମ. କେନ୍ଦ୍ର ଗତକାଲି ଉଦଘାଟିତ ହୋଇଯାଇଛି । ଆଭାସି ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଲୋକର୍ପିତ କରିଛନ୍ତି । ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥ ପୂର୍ବରୁ ଥିବା ଦୁରଦର୍ଶନ ରିଲେ କେନ୍ଦ୍ରଠାରେ ଏହି ୧୦୦ ୱାଟ୍ ଏଫଏମ ଟ୍ରାନ୍ସମିଟର ସ୍ଥାପନ କରାଯାଇ ଉଦଘାଟିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଭାରତରେ ୯୧ ଗୋଟି ୧୦୦ ୱାଟ୍ କ୍ଷମତା ବିଶିଷ୍ଟ ଏଫଏମ ଟ୍ରାନ୍ସମିଟର ଆଭାସୀ ମାଧ୍ୟମରେ ଉଦଘାଟନ କରିଛନ୍ତି ।
ଏହି ଉଦଘାଟନୀ ଉତ୍ସବରେ ସୂଚନା ଓ ପ୍ରସାରଣ, କ୍ରୀଡ଼ା ଓ ଯୁବ ବିଭାଗ ମନ୍ତ୍ରୀ ଅନୁରାଗ ଠାକୁର ଏବଂ ସୂଚନା ଓ ପ୍ରସାରଣ, ପଶୁ ଓ ମତ୍ସ୍ୟ ପାଳନ ତଥା ଦୁଗ୍ଧ ବିଭାଗର ରାଜ୍ୟପାହ୍ୟା ମନ୍ତ୍ରୀ ଡଃ. ଏଲ ମୁରୁଗାନ ଉପସ୍ଥିତ ଥିଲେ । ଏହି ଅବସରରେ ଆଭାସୀ ମାଧ୍ୟମରେ ଆୟୋଜିତ ଉତ୍ସବରେ ଭାରତର ୯୧ଟି ସ୍ଥାନରେ ଏକା ସମୟରେ ସମ୍ପୃକ୍ତ ଅଞ୍ଚଳର ଜନ-ପ୍ରତିନିଧି, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ତଥା ଜନ ସାଧାରଣଙ୍କ ସମାବେଶ ହୋଇଥିଲା । ଆକାଶବାଣୀ ଜୟପୁର କେନ୍ଦ୍ର ପକ୍ଷରୁ କୋରାପୁଟ, ମାଲକାନିଗିରି ଏବଂ ନବରଙ୍ଗପୁର ଠାରେ ଏହି ଉଦଘାଟନୀ କାର୍ଯ୍ୟକ୍ରମର ପରିଚାଳନା କରାଯାଇଥିଲା ।
ମାଲକାନଗିରିର ଜିଲ୍ଲାର ୧୦୦ ୱାଟ୍ ଏଫଏମ ଟ୍ରାନ୍ସମିଟର ଉଦଘାଟନୀ ଉତ୍ସବରେ ମାଲକାନିଗିରି-ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଆଭାସୀ ମାଧ୍ୟମରେ ଯୋଗ ଦେଇଥିବା ବେଳେ ମାଲକାନିଗିରି ବିଧାୟକ ଆଦିତ୍ୟ ମାଢିଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ଅତିରିକ୍ତ ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ଅନୀଲ କୁମାର ମିଶ୍ର, ସାମ୍ବାଦିକ ରତ୍ନାକର ଦାଶ, ଜିଲ୍ଲା ଯୁବ ଅଧିକାରୀ ହରିଶ ରୁପାଲ, ଅଧ୍ୟାପକ ଡ଼ଃ. ରଞ୍ଜନ କୁମାର ସ୍ଵାଇଁ, ଦୂର୍ଗା ପଟ୍ଟନାୟକ, ଦୁତୀଆ ବଞ୍ଛର ପ୍ରମୁଖ ଯୋଗ ଦେଇଥିଲେ।