
ଖୋର୍ଦ୍ଧା, ଶୁକ୍ରବାର ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ହେବା ସହ ବଜ୍ରପାତ ଘଟିଛି। ଏହି ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଧୀନ ହରିପୁରପାଟଣାର ଜଳନ୍ଧର ସାମନ୍ତରାୟ (୭୦)।
ସୂଚନା ମୁତାବକ, ହରିପୁରପାଟଣାର ଜଳନ୍ଧର ସକାଳେ ବିଲକୁ ଯାଇଥିବା ବେଳେ ହଠାତ୍ ବର୍ଷା ହୋଇଥିଲା। ଫଳରେ ସେ ସେଠାରେ ଥିବା ଏକ ପୋଖରୀ ବନ୍ଧ ନିକଟକୁ ଆଶ୍ରୟ ନେବା ପାଇଁ ପଳାଇଥିଲେ। ତେବେ ଏହି ସମୟରେ ବଜ୍ରପାତ ହେବାରୁ ତାଙ୍କ ଶରୀରର ବିଭିନ୍ନ ସ୍ଥାନ ପୋଡ଼ିଯାଇଥିଲା। ପରିବାର ଲୋକ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଖୋର୍ଦ୍ଧା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମୃତକଙ୍କ ପୁଅ ରମେଶ ସାମନ୍ତରାୟ ନିରାକାରପୁର ଥାନାରେ ଅଭିଯୋଗ କରିଥିବା ଜଣାପଡିଛି।