ସାଲେପୁର, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ନିଶ୍ଚିନ୍ତକୋଇଲି ଗ୍ରାମ ଉନ୍ନୟନ ବିଭାଗ ଅଧିନରେ ଥିବା ପାଟପୁର-କେନ୍ଦୁପାଟଣା ଛକଠାରୁ ଭାୟା କାଜିହାଟ ରାଇସୁଙ୍ଗୁଡା ପର୍ଯ୍ୟନ୍ତ ରାସ୍ତା ଉନ୍ନତିକରଣ କରାଯିବା ପାଇଁ ୫ କୋଟି ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି । ଏହି ୬.୭୨୫ କି.ମି. ଦୈର୍ଘ୍ୟ ବିଶିଷ୍ଟ ରାସ୍ତାର ଦୁଇ ପାର୍ଶ୍ଵକୁ ୩ ଫୁଟ ଲେଖାଏଁ ଓସାର କରାଯିବା ସହିତ ଏହା ଉପରେ ନୂତନ ଭାବେ ଆବଶ୍ୟକ ସ୍ଥଳେ ପିଚୁ ଓ ଢଳେଇ କରାଯିବା ପାଇଁ ଅଟକଳ ମଧ୍ୟ କରାଯାଇ ଟେଣ୍ଡର ହୋଇ ସ୍ଵତନ୍ତ୍ର ଶ୍ରେଣୀ ଠିକାଦାର ବିଭୂରଂଜନ ପରିଡାଙ୍କୁ କାର୍ଯ୍ୟକରିବାକୁ ଦାୟିତ୍ଵ ଦିଆଯାଇଛି । ନିୟମାନୁଯାୟୀ ତା.୧୮.୧୧.୨୦୨୨ ରିଖଠାରୁ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇ ତା. ୧୭.୦୮.୨୦୨୩ ରିଖରେ କାର୍ଯ୍ୟ ଶେଷ ହେବା ପାଇଁ ଠିକାଦାର ବିଭାଗ ନିକଟରେ ଚୁକ୍ତି କରିଛନ୍ତି । ଇତି ମଧ୍ୟରେ ୫ ମାସ ବିତିଯାଇଥିଲେ ମଧ୍ୟ ଠିକାଦାର ଜଣକ ଅଦ୍ୟାବଧି କାର୍ଯ୍ୟ ଆରମ୍ଭ କରିନାହାଁନ୍ତି । କେଉଁଦିନ ଏହି କାର୍ଯ୍ୟ ଆରମ୍ଭ କରାଯିବ ସେନେଇ ସାଧାରଣରେ ପ୍ରଶ୍ନ ଉଠିଥିଲା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏଥିପ୍ରତି ଗୁରୁତ୍ଵ ନଦେଇ ଚୁପ୍ ଚାପ୍ ବସିରହିଛି । ଦୀର୍ଘ ବର୍ଷ ହେବ ଉକ୍ତ ରାସ୍ତାକୁ ମରାମତି କରାଯାଇନଥିବାରୁ ଏହାର ଅନେକ ସ୍ଥାନରେ ଖାଲ ଖମା ସୃଷ୍ଟି ହୋଇଛି । ଏହି ରାସ୍ତା ଦେଇ ଯାତାୟାତ କରିବା କଷ୍ଟକର ବ୍ୟାପାର ହୋଇପଡିଥିବା ବେଳେ ସୃଷ୍ଟି ହୋଇଥିବା ଖାଲରେ ପଡି ବହୁ ବାଇକ ଆରୋହୀ ଦୁର୍ଘଟଣାଗ୍ରସ୍ତ ହେଉଥିବା ଦେଖାଯାଇଛି ।
ଏହି ରାସ୍ତା ଏକ ପ୍ରମୁଖ ରାସ୍ତା ହୋଇଥିବାରୁ ଏହା ଉପରେ ଯାତାୟାତ ପାଇଁ ବରାଦୋ, ଜିଗ୍ନିପୁର, ଫଗୋଳ, ଜୟରାମପୁର, ରାମକୃଷ୍ଣପୁର, ରାଇସୁଙ୍ଗୁଡା ସମେତ ପ୍ରାୟ ୧୦ଟି ପଞ୍ଚାୟତର ଲୋକମାନେ ନିର୍ଭର କରିଥାଆନ୍ତି । କଟକ-ଚାନ୍ଦବାଲିର ମୁଖ୍ୟ ରାସ୍ତା ସହିତ ସାଲେପୁର-କୁଆଁପାଳର ମୁଖ୍ୟ ରାସ୍ତାକୁ ଏହା ସଂଯୋଗୀକରଣ କରୁଥିବାରୁ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ଚାରିଚକିଆ ଓ ଦୁଇ ଚକିଆ ଯାନବହାନ ଯାତାୟାତ କରିଥାଆନ୍ତି । ଏବେ ରାସ୍ତାର ଅବସ୍ଥା ଅତ୍ୟନ୍ତ କଦର୍ଯ୍ୟ ହୋଇପଡିଥିବାରୁ ଲୋକମାନେ ଯାତାୟାତ ପାଇଁ ସମସ୍ୟାରେ ପଡିଛନ୍ତି । ଅପରପକ୍ଷରେ ଆସନ୍ତା ୯ ତାରିଖରେ ହେବାକୁ ଥିବା ମାହାଙ୍ଗା ମହୋତ୍ସବକୁ ଯାତାୟାତ ପାଇଁ ଏହା ଏକ ମୁଖ୍ୟରାସ୍ତା ଅଟେ । ମହୋତ୍ସବ ପୂର୍ବରୁ ଯଦି ଏହି ରାସ୍ତା କରାନଯାଏ ତାହାହେଲେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଜଣାଯାଇଛି । ଉକ୍ତ ରାସ୍ତା କାର୍ଯ୍ୟକୁ ତୁରନ୍ତ ଆରମ୍ଭ କରିବା ପାଇଁ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଜିଲ୍ଲାପାଳଙ୍କୁ ଜଣାଇବା ପରେ ମଧ୍ୟ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ । କ’ଣ ପାଇଁ ଠିକାଦାର କାର୍ଯ୍ୟ ଆରମ୍ଭ କରୁନାହାଁନ୍ତି ତାହାର ତଦନ୍ତ ପୂର୍ବକ ରହସ୍ୟ ଉନ୍ମୋଚନ ପାଇଁ ସାଧାରଣରେ ଦାବି ହୋଇଛି ।