ସାଲେପୁର, ସାଲେପୁର ଓ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳର ବଜାରଘାଟ ଏବଂ ଗ୍ରାମାଞ୍ଚଳ ଗୁଡିକରେ ବ୍ୟାପକ ଭାବେ ଚୋରାରେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଛି । ଅବକାରୀ ବିଭାଗର ଦାୟିତ୍ଵହୀନତା ପାଇଁ ଚୋରା ମଦ ବ୍ୟବସାୟୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଥିଲା ବେଳେ ଏହି ଅଂଚଳରେ ଚୋରା ମଦର ବନ୍ୟା ସୃଷ୍ଟି ହୋଇଛି । ଅପରପକ୍ଷରେ ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟୀମାନେ ମଧ୍ୟ ସରକାରଙ୍କ ନୀତି ନିୟମ ପରିସରରେ ନରହି ମନଇଚ୍ଛା ବ୍ୟବସାୟ କରୁଛନ୍ତି । ଲାଇସେନ୍ସପ୍ରାପ୍ତ ଦୋକାନୀମାନେ ଗ୍ରାମାଞ୍ଚଳରେ ଥିବା ଚୋରା ମଦ ବ୍ୟବସାୟୀଙ୍କ ନିକଟରେ ପେଟି ପେଟି ମଦ ପହଞ୍ଚାଇ ଦେଉଥିବାରୁ ସେମାନେ ଚଢା ଦରରେ ଏହାକୁ ବିକ୍ରି କରୁଛନ୍ତି । ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ଭଲ ଭାବରେ ଅବଗତ ଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗାଁ ଗହଳିର ଜଳଖିଆ ଦୋକାନୀଠାରୁ ଆରମ୍ଭ କରି ରାସନ ଦୋକାନ, ପାନ ଦୋକାନ ଓ ଅନ୍ୟାନ୍ୟ ଦୋକାନରେ ଚୋରାରେ ମଦ ବିକ୍ରି ହେଉଥିବାରୁ ଗାଁ ଗହଳିର ଆବାଳ ବୃଦ୍ଧ ମଦ୍ୟପାନ କରି ନିଜ ନିଜ ପରିବାରରେ ଅଶାନ୍ତି ସୃଷ୍ଟି କରୁଥିଲା ବେଳେ ସାମାଜିକ ଚଳଣୀରେ ବହୁ ବିଶୃଙ୍ଖଳା ଦେଖାଦେଇଛି । ଏହାଛଡା ଲାଇସେନ୍ସପ୍ରାପ୍ତ ଠିପି ବନ୍ଦ ମଦ ଦୋକାନ ସମ୍ମୁଖରେ ସ୍ପଷ୍ଟ ଦିବାଲୋକରେ ମଦ୍ୟପମାନେ ବୋତଲ ଠିପି ଖୋଲି ମଦ୍ୟପାନ କରୁଥିବା ଏପରିକି ବହୁ ମଦ୍ୟପ ରାସ୍ତାକଡରେ ଗଡୁଥିବା ଦେଖିବାକୁ ମିଳୁଛି । ଲାଇସେନ୍ସପ୍ରାପ୍ତ ମଦ ଦୋକାନଗୁଡିକ ଖୋଲିବା ଓ ବନ୍ଦ କରିବା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ରହିଥିଲେ ମଧ୍ୟ ଏହାକୁ ବ୍ୟବସାୟୀମାନେ ମାନୁନଥିବା ଦେଖାଯାଇଛି । ଉକ୍ତ ଘଟଣାକୁ ଅବକାରୀ ବିଭାଗ ଓ ସ୍ଥାନୀୟ ପୁଲିସ ଦେଖି ନୀରବଦ୍ରଷ୍ଟା ସାଜିଥିବା ଲୋକମାନେ ଅଭିଯୋଗ କରିଛନ୍ତି ।
ନିଶ୍ଚିନ୍ତକୋଇଲି ଅଂଚଳରେ ଏକ ଅବକାରୀ ବିଭାଗ କାର୍ଯ୍ୟାଳୟ ଖୋଲାଯାଇଥିଲେ ମଧ୍ୟ ଏଠାରେ ବିଭାଗୀୟ କର୍ମଚାରୀମାନେ ସଠିକ୍ ଭାବେ କାର୍ଯ୍ୟ କରୁନଥିବା ଏବଂ କାର୍ଯ୍ୟାଳୟ ସବୁଦିନେ ଖୋଲାଯାଉନଥିବା ଅଭିଯୋଗ ହୋଇଛି । ଅନେକ ସମୟରେ ଏହି କାର୍ଯ୍ୟାଳୟକୁ ନିଶ୍ଚିନ୍ତକୋଇଲି ଓ ମାହାଙ୍ଗା ଅଂଚଳର ବହୁ ଚୋରା ମଦ ବ୍ୟବସାୟୀମାନେ ଲୁଚିଛପି ଆସୁଥିବା ଦେଖିବାକୁ ମିଳୁଛି । ଚୋରା ମଦ ବ୍ୟବସାୟ ଯଦି ଏଭଳି ବଢି ଚାଲେ ତାହା ହେଲେ ଆଗାମୀ ଦିନରେ ଜନଜୀବନ ବିଶେଷ ଭାବେ କ୍ଷତି ହେବାର ଆଶଙ୍କା ପ୍ରକାଶ ପାଇଛି । ତୁରନ୍ତ ଚୋରା ମଦ ବ୍ୟବସାୟ ବନ୍ଦ କରିବା ଏବଂ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀମାନଙ୍କୁ ସରକାରଙ୍କ ନୀତିନିୟମ ପରିସରରେ ବ୍ୟବସାୟ କରିବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।