ସାଲେପୁର, ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ଜିଗ୍ନିପୁର ବ୍ରହ୍ମକ୍ଷେତ୍ର ପୀଠରେ ଥିବା ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ଚନ୍ଦନଯାତ୍ରା ଅବସରରେ ମାହାଙ୍ଗା ମହୋତ୍ସବ ପାଳନ କରାଯିବ । ଏହି ମହୋତ୍ସବକୁ ସଫଳ କରିବା ପାଇଁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ନେତୃବୃନ୍ଦ ଓ ଜନପ୍ରତିନିଧିଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ଅବସରରେ ମହୋତ୍ସବ କମିଟି ମଧ୍ୟ ଗଠନ କରାଯାଇଛି । ମ୍ୟାନେଜିଂ ଟ୍ରଷ୍ଟୀ ଧୀରେନ୍ଦ୍ରନାଥ ବେହେରାଙ୍କ ସଂଯୋଜନା ଏବଂ ମହୋତ୍ସବ କମିଟିର କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ଓଝାଙ୍କ ପୌରୋହିତ୍ୟରେ ଏଥିରେ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଏହି ମହୋତ୍ସବକୁ ସରସ ସୁନ୍ଦର ଓ ଶୃଙ୍ଖଳିତ କରିବା ନେଇ କିଭଳି କାର୍ଯ୍ୟକ୍ରମ ଗ୍ରହଣ କରାଯିବ ସେ ସଂକ୍ରାନ୍ତରେ ବିଶଦ୍ ଆଲୋଚନା କରିଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ ଥିବା ୬୪ଟି ପଞ୍ଚାୟତରେ କିଭଳି ଭାବେ ମହୋତ୍ସବରେ ସଂପୃକ୍ତି ହେବେ ସେ ନେଇ ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ପଞ୍ଚାୟତ ସ୍ତରୀୟ ପ୍ରସ୍ତୁତି ବୈଠକ କରାଯିବା ପାଇଁ ସ୍ଥିର ହୋଇଛି । ଚଳିତ ବର୍ଷ ରାଜ୍ୟ ବାହାରୁ ୩୦ ରୁ ଉର୍ଦ୍ଧ୍ଵ ବ୍ୟବସାୟ ପ୍ରତିଷ୍ଠାନ ଏଥିରେ ଯୋଗଦେବା ପାଇଁ ସ୍ଥିର ହୋଇଥିଲା ବେଳେ ପଲ୍ଲିଶ୍ରୀ ମେଳାରେ ୩୦୦ ରୁ ଉର୍ଦ୍ଧ୍ଵ ଷ୍ଟଲ୍ ଖୋଲାଯିବା ପାଇଁ ସ୍ଥିର କରାଯାଇଛି । ଏହାଛଡା ଚଳିତ ବର୍ଷ ନୂତନ ଭାବେ ଚନ୍ଦନ ପୁଷ୍କରିଣୀର ଦକ୍ଷିଣ ପାର୍ଶ୍ଵରେ ସାଂସ୍କୃତିକ ମଣ୍ଡପ କରାଯିବ ଏବଂ ପ୍ରତ୍ୟେକ ଦିନ ରାଜ୍ୟ ତଥା ରାଜ୍ୟ ବାହାର ବହୁ ସୁନାମଧନ୍ୟ କଳାକାରମାନେ ସେମାନଙ୍କର କଳା ପ୍ରଦର୍ଶନ କରିବା ନେଇ ମଧ୍ୟ ସ୍ଥିର କରାଯାଇଛି । ୫ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବରେ ରାଜ୍ୟର ବହୁ ରାଜନୈତିକ ନେତୃବୃନ୍ଦ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସ୍ଥାନୀୟ ଅଂଚଳର ଜନପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ବ୍ୟାପକ ଭାବେ ସହଯୋଗ କରିବା ବିଶେଷ କରି ମହିଳାମାନେ କିପରି ଅଧିକରୁ ଅଧିକ ଏଥିରେ ସଂପୃକ୍ତି ହେବେ ସେ ନେଇ ମଧ୍ୟ ବନ୍ଦୋବସ୍ତ କରାଯାଇଛି ।
ଏହି ବୈଠକରେ କମିଟିର ସଂପାଦକ ଜ୍ଞାନରଂଜନ ରାଉତ, ଉପସଭାପତି ଗିରୀଶ ରଂଜନ ମହାପାତ୍ର, ପ୍ରକଳ୍ପ ସଂଯୋଜକ ଅକ୍ଷୟ କୁମାର ଷଢଙ୍ଗୀ, ଚୌଧୁରୀ ରମାକାନ୍ତ ପ୍ରହରାଜ, ଉପଦେଷ୍ଟା ମଣ୍ଡଳୀରେ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ମାହାଙ୍ଗା ବ୍ଲକ ଅଧ୍ୟକ୍ଷା ଦୀପା ମଲ୍ଲିକ, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ରମାକାନ୍ତ ମହାନ୍ତି, ନିରଞ୍ଜନ ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟ ବିପ୍ଳବ କାପ, ଭୂପତି ଭୂଷଣ ଷଣ୍ଢ, ଜସ୍ମିତା ସେଠୀ, ଦେବେନ୍ଦ୍ର ସାହୁ, ଜ୍ୟୋତି ପ୍ରକାଶ ସ୍ଵାଇଁ, ଅନୀଲ ଭୂୟାଁ, ସନ୍ତୋଷ ପ୍ରଧାନ, ଉତ୍ସବ ଚନ୍ଦ୍ର ଭଞ୍ଜ, ପ୍ରମୋଦ ସ୍ଵାଇଁ ପ୍ରମୁଖ ଉପସ୍ଥିତ ହୋଇ ଆଲୋଚନାରେ ଭାଗ ନେଇଥିଲେ ।