
ଗଞ୍ଜାମ, ସରି ସରି ଆସୁଛି ବ୍ରହ୍ମପୁର ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । ଆଉ ମାତ୍ର ୪ ଦିନ ପରେ ଅର୍ଥାତ୍ ମଇ ୧ ତାରିଖରେ ଯାତ୍ରା ଶେଷ ହେବ । ମା ବାପଘରୁ ନିଜ ମନ୍ଦିରକୁ ବାହୁଡ଼ିବେ । ପ୍ରତ୍ୟେହ ସଂନ୍ଧ୍ୟାରେ ରଙ୍ଗିନ ଆଲୋକମାଳାରେ ଝଲସି ଉଠୁଛି ବ୍ରହ୍ମପୁର ସହର ଏବଂ ପ୍ରାୟ ୩୦ରୁ ଉର୍ଦ୍ଧ୍ଵ ବିଭିନ୍ନ ଦେବାଦେବୀଙ୍କ ରଥ ଏବଂ କଳାକୁଞ୍ଜ । ସକାଳୁ ସଂନ୍ଧ୍ୟା ଯାଏଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଅସ୍ଥାୟୀ ମଣ୍ଡପରେ ମା ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ କରି ଆର୍ଶିବାଦ ଭିକ୍ଷା କରୁଛନ୍ତି । ସଂନ୍ଧ୍ୟା ପରେ ମା ବୁଢ଼ୀ ଠାକୁରାଣୀ ପଟୁଆରରେ ବ୍ରହ୍ମପୁର ସହରର ବିଭିନ୍ନ ସାହି ପରିକ୍ରମା କରୁଛନ୍ତି । ଏହା ସହିତ ସ୍ଥାନୀୟ ଜନସାଧାରଣଙ୍କ ଠାରୁ ପୂଜାଭୋଗ ଓ ନୈବେଦ୍ୟ ଗ୍ରହଣ କରି ଆଶିଷ ପ୍ରଦାନ କରୁଛନ୍ତି । ଗତକାଲି ଏବଂ ଦୁଇ ଦିନ ପୂର୍ବେ ପ୍ରାୟ ୨୦୦ ମାନସିକ ଧାରୀ ଲଣ୍ଡା ହେବା ସହ ହନୁମାନ ବେଶ ଧାରଣ କରି ସହର ପରିକ୍ରମା କରିଥିଲେ । ଗଞ୍ଜାମ ଜିଲ୍ଲା ତଥା ଜିଲ୍ଲା ବାହାରୁ ପ୍ରତ୍ୟେହ ସଂନ୍ଧ୍ୟା ପରେ ଲକ୍ଷାଧିକ ଜନସାଧାରଣ ସହରକୁ ଆସି ମା ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ କରିବା ସହ ବିଭିନ୍ନ ସାହିରେ ଡେରା ଯାଇଥିବା ରଥ ଏବଂ କଳାକୁଞ୍ଜ ଦର୍ଶନ କରୁଛନ୍ତି । ଆଗନ୍ତୁକ ଜନସାଧାରଣଙ୍କୁ ସ୍ଥାନୀୟ ବ୍ୟବସାୟୀ ଓ ସ୍ଵେଚ୍ଛାସେବୀ ସଂଗଠନ ପକ୍ଷରୁ ମାଗଣାରେ ପ୍ରସାଦ, ପଣା, ଦହି ସର୍ବତ, ଆଇସକ୍ରିମ, ହାଲୁଆ, ମିଠା ଏବଂ ଅନ୍ନ ପଲଉ ବିତରଣ କରାଯାଉଛି । ଭାରତ ପ୍ରସିଦ୍ଧ ଏହି ବୁଢ଼ୀ ଠାକୁରାଣୀ ଯାତ୍ରା ଭକ୍ତଙ୍କ ମନରେ ଆନନ୍ଦ ଭରି ଦେଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଅପ୍ରେଲ ୪ ତାରିଖରୁ ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହୋଇଥିଲା ।