ଗଞ୍ଜାମ,ବିଶ୍ଵ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ନିମନ୍ତେ ରଥ ନିର୍ମାଣ ପାଇଁ ଗଞ୍ଜାମ ଜିଲ୍ଲା ଉତର ଘୁମୁସର ବନଖଣ୍ଡରୁ ଚଳିତ ବର୍ଷ ଦ୍ଵିତୀୟ ପର୍ଯ୍ୟାୟରେ କାଠ ପୁରୀ ଅଭିମୁଖେ ଯାତ୍ରା କରିଛି । କେନ୍ଦ୍ରିୟ ବନାଚଂଳର ପୁରୁଣାପାଣି ଜଙ୍ଗଲରୁ ସଂଗୃହୀତ କାଠ ଏକ ଟ୍ରକ୍ ରେ ପୁରୀ ଅଭିମୁଖେ ପଠାଯାଇଛି । ପ୍ରଥମ ପର୍ଯ୍ୟାୟରେ ୨୦ଟି ଧଉରା କାଠ ଯାଇଥିବା ବେଳେ ଆଜି ୧୦ ଖଣ୍ଡ କାଠ ଯାଇଥିବା ବନାଚଂଳ ଅଧିକାରୀ କୁମର ବେହେରା ସୂଚନା ଦେଇଛନ୍ତି । ପୁରୁଣାପାଣି ଗ୍ରାମ ନିକଟରେ କଟାଯାଇଥିବା ସମସ୍ତ କାଠକୁ ଏକାଠି କରାଯିବା ପରେ ପୂଜାର୍ଚ୍ଚନା କରାଯାଇଥିଲା । ଟ୍ରକ୍ ରେ କାଠ ନିଆଯାଉଥିବା ସମୟରେ ବୁଦୁଲି, ମଳାଶପଦର ଓ ଜିଲୁଣ୍ଡି ଗ୍ରାମ ରାସ୍ତାରେ ଶତାଧିକ ଲୋକ ଭଜନ କୀର୍ତନ ବନ୍ଦାପନା ସହ ଧୂପ ଦେଇ ଏହାକୁ ପୂଜାର୍ଚ୍ଚନା କରିଥିଲେ । ଏହାପରେ ଏହି ରଥକାଠ ବୋଝେଇ ଟ୍ରକ୍ ପୁରୀ ଅଭିମୁଖେ ଯାତ୍ରା କରିଛି ।
ଉତର ଘୁମୁସର ବନଖଣ୍ଡର ବିଭିନ୍ନ ସ୍ଥାନରୁ ୨୯ଟି ଗଛ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ବାଇବାଲି ଜଙ୍ଗଲରୁ ୨୦ଟି ଧଉରା ଗଛ କଟାଯାଇ ପଠାଯାଇଛି । କେନ୍ଦ୍ରୀୟ ବନାଚଂଳର କାଳିଆମ୍ମା ସେକ୍ସନର ପୁରୁଣାପାଣି ଜଙ୍ଗଲରୁ ତିନୋଟି ଫାସି ଗଛ ଏବଂ ତାରସିଂ ଜଙ୍ଗଲରୁ ୬ଟି ଫାସି ଗଛ ଚିହ୍ନଟ ହୋଇଛି ।