ଭୁବନେଶ୍ୱର, ଜି-20 ଭାରତ ଶିକ୍ଷା ଓ୍ୱାର୍କିଂ ଗ୍ରୁପର ତୃତୀୟ ବୈଠକ ପରିପ୍ରକ୍ଷୀରେ ମଙ୍ଗଳବାର ଭୁବନେଶ୍ୱର ଆଇଏମଏମଟି ପରିସରରେ ଆୟୋଜିତ କର୍ମଶାଳାରେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଗତ ଶତାବ୍ଦୀରେ ଅର୍ଥନୀତି କ୍ଷେତ୍ରରେ ଦ୍ରୁତ ପ୍ରଗତି କାରଣରୁ ସିଙ୍ଗାପୁର ବିଶ୍ୱର ଗୋଟିଏ ମଡେଲ ହୋଇଛି । ବିଶେଷ ଭାବରେ ସିଙ୍ଗାପୁର ନିଜର ଦକ୍ଷତା ବଢାଇଥିବା କାରଣରୁ ଶିକ୍ଷା ସହ ଦକ୍ଷତା ବିକାଶ କରିଥିବା କାରଣରୁ ଅର୍ଥନୀତିରେ ତାର ସ୍ଥାନ ନିରୁପଣ କରିସାରିଛି ।
‘ଭାରତ ଓ ସିଙ୍ଗାପୁରର ସ୍ଥାପତ୍ୟ ଦକ୍ଷତା ଓ ଶାସନ ମଡେଲ’ କଥାବସ୍ତୁ ଉପରେ ଆୟୋଜିତ ଏହି କର୍ମଶାଳାରେ ଶ୍ରୀ ପ୍ରଧାନ କହିଛନ୍ତି ଦେଶର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରନ୍ତର ପ୍ରୟାସ ବଳରେ ସିଙ୍ଗାପୁର ଓ ଭାରତର ସମ୍ପର୍କ ମଜଭୂତ୍ ହୋଇଛି । ଆଣବିକ କ୍ଷେତ୍ରରେ ଭାରତ ଓ ସିଙ୍ଗାପୁର ମିଳିତ ଭାବରେ କାମ କରିବା ଦିଗରେ ଉଦ୍ୟମ ଜାରି ରହିଛି । ନୂଆ ଜାତୀୟ ଶିକ୍ଷା ନୀତି ଆଧାରରେ ଦେଶର ଯୁବବର୍ଗଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ସହ ଦକ୍ଷତା ପରିସଂସ୍ଥାନର ରୂପାନ୍ତରଣ କରିବା ଦିଗରେ ଭାରତ ଓ ସିଙ୍ଗାପୁର ମଧ୍ୟରେ ଆଲୋଚନା ହୋଇଛି । ବର୍ତ୍ତମାନର ଓ୍ୱାର୍କଫୋର୍ସକୁ ରି-ସ୍କିଲିଂ ଏବଂ ଅପ୍-ସ୍କିଲିଂ କରାଯିବା ଉପରେ ଗୁରୁତ୍ୱ ଦିଆଯିବ ।
ଆମେ ଏବେ ବିଭିନ୍ନ ଆହ୍ୱାନର ସାମ୍ନା କରୁଛୁ । ସ୍ଥାପତ୍ୟ ଦକ୍ଷତା ଓ ଶାସନ ମଡେଲ ନେଇ ବହୁତ ଆହ୍ୱାନ ଅଛି । ଆମକୁ ନୂଆ ଦକ୍ଷତାର ପରିମାପକ ତିଆରି କରିବାକୁ ପଡିବ । ସମଗ୍ର ଶିକ୍ଷା ଅଭିଯାନରେ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ଷଷ୍ଠରୁ ଦ୍ୱାଦଶ ପର୍ଯ୍ୟନ୍ତ ଶିକ୍ଷା ପ୍ରଣାଳୀରେ ଦକ୍ଷତା ବିକାଶକୁ ଗୁରୁତ୍ୱ ଦିଆଯାଇଛି ।
ବୈଠକରେ ଭାରତ ଓ ସିଙ୍ଗାପୁରର ଦକ୍ଷତା କ୍ଷେତ୍ରର ଷ୍ଟେକହୋଲଡର, ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ ।