କନ୍ଧମାଳ- କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବିଭିନ୍ନ ସ୍ଥାନରେ ଠିକା କଂପାନୀ ଦ୍ୱାରା ବେଆଇନ ପଥର ବ୍ଲାଷ୍ଟିଂ କରାଯାଉଛି । ବହୁ ଅଭିଯୋଗ ହେଲେ ମଧ୍ୟ ତହସିଲଦାର ଚୁପ୍ । ଏଥିପୂର୍ବରୁ ଦାରିଙ୍ଗବାଡି ନିକଟବର୍ତୀ ଜାତୀୟ ରାଜପଥରେ ବେଆଇନ ପଥର ବ୍ଲାଷ୍ଟିଂ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା । ଦିନ ଦ୍ୱିପ୍ରହରରେ ରାସ୍ତା ନିର୍ମାଣ କରୁଥିବା ଠିକା ସଂସ୍ଥା ପଥର ବ୍ଲାଷ୍ଟିଂ କରି ରାସ୍ତା ଚଉଡା କରୁଛି । ସେହିପରି ଏହି ବ୍ଲକର ବାଡାବାଙ୍ଗା ପଂଚାୟତର ସିକନବାଡି ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ରାସ୍ତା ନିର୍ମାଣ କରାଯାଉଛି । ସେହି ରାସ୍ତା ନିର୍ମାଣ ଲାଗି ବେଆଇନ ଭାବେ ପଥର ବ୍ଲାଷ୍ଟିଂ କରାଯାଉଥିବା ବେଳେ ସେହି ନିକଟରେ ଥିବା ପିତାମ୍ବର ମଲିକଙ୍କ ଘର ଉପରେ ପଥର ଗୁଡିକ ଛିଟିକି ପଡିବା ଫଳରେ ଆଜବେଷ୍ଟସ୍ ଭାଙ୍ଗି ତଳେ ପଡିଥିଲା । ସୋ÷ଭାଗ୍ୟବଶତଃ ପରିବାର ଲୋକେ ଅନ୍ୟସ୍ଥାନରେ ଥିବାରୁ ନିଶ୍ଚିତ ମୃତ୍ୟୁମୁଖରୁ ବଂଚିଯାଇଥିଲେ । ସେହିପରି ପ୍ରଚଣ୍ଡ ଶବ୍ଦ ଫଳରେ ଆଖପାଖରେ ଥିବା ଲୋକ ପ୍ରାଣ ବିକଳରେ ଦୋ÷ଡିଥିଲେ । ରାଜସ୍ୱ ବିଭାଗ ଅଧିକାରୀ, କର୍ମଚାରୀ ମାନେ ମାସିକା ପାଉଣା ନେଇ ବେଆଇନ ବ୍ଲାଷ୍ଟିଂକୁ ପ୍ରଶୟ ଦେଉଥିବା ଅଭିଯୋଗ ହେଉଛି । ଏନେଇ ଦାରିଙ୍ଗବାଡି ତହସିଲଦାର ସବୁ ଜାଣି କିଛି ନଜାଣିଲା ପରି ଅଭିନୟ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ରାଜସ୍ୱ ବିଭାଗ ସଚିବ ଏଥିପ୍ରତି ଦୃଷ୍ଟି ଦେବାସହ ଏହାର ବିଧିବଦ୍ଧ ତଦନ୍ତ କରି ତହସିଲଦାର, ଆର.ଆଇ.ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।
Related Stories
November 23, 2024