ରାଉରକେଲା, ରାଜ୍ୟରେ ନକଲି ସାର୍ଟିଫିକେଟ ମାମଲା ପଦାକୁ ଆସିବା ପରେ ସରକାର ତତ୍ପର ହୋଇ ଏହାର ଯାଂଚ ଚଳାଇଥିବା ବେଳେ ରାଉରକେଲା ମହାନଗର ନିଗମରେ ଚାକିରୀ କରିଥିବା କିଛି ପୁରାତନ କର୍ମଚାରୀ ଏହିଭଳି ନକଲି ସାର୍ଟିଫିକେଟ ବଳରେ ଚାକିରୀ କରିଥିବା କଥା ଏବେ ଅଫିସରୁ ବାହାର ଯାଏ କଥା ଉଠୁଛି ପଡୁଛି। ଏହାର କାର୍ପଟଦାର ଜଣେ ପିଅନ ବୋଲି ଏବେ କଥା ଜୋର ଧରିଛି ।
ଅନୁସନ୍ଧାନରୁ ଜଣାପଡିଛି ଯେ, ପୌରପାଳିକା ଥିବା ବେଳେ ଏଠାରେ କାମ ପାଇଥିବା କିଛି ପୁରାତନ କର୍ମଚାରୀ ଯେଉଁ ସାର୍ଟିଫିକେଟ ଦେଇଥିଲେ ତାହାର ଖୋଜ ଖବର ମିଳିନଥିବା ବେଳେ, ପରେ ଯେଉଁ ସବୁ ସାର୍ଟିଫିକେଟ ପ୍ରଦାନ କରିଛନ୍ତି ସେ ସବୁ ନକଲି। ସେଥିରେ ବୟସ ସିମାକୁ ବଦଳାଇ ଅଧିକ ଦିନ ଚାକିରୀ କରିବା ଲାଗି ବୟସକୁ କମାଇ ଦିଆଯାଇଛି ବୋଲି ଖବର ମିଳିଛି । ଏଭଳି ୭ ଜଣ କର୍ମଚାରୀ ଅବସର ନେଇ ପୁଣି ମହାନଗରରେ କାମ କରୁଥିବା ବେଳେ, ଏଷ୍ଟାବ୍ଲିସ ସେକ୍ସନରେ ଏହିଭଳି ୫ ଜଣ କର୍ମଚାରୀ ରହିଛନ୍ତି। ଏପରିକି ଜଣେ ବାବୁଙ୍କର ସାର୍ଟିଫିକେଟରେ ଥିବା ଜନ୍ମ ତାରିଖ ଅନୁଶାରେ ତାଙ୍କର ଯେତେବେଳେ ବୟସ ୧୧ ବର୍ଷ ହୋଇଛି ସେତେବେଳେ ସେ ମାଟ୍ରିକ ପାଶ କରି ଏଠାରେ ଚାକିରୀ ପାଇଥିବା କଥା ବେଶ ଚର୍ଚାର ବିଷୟ ହୋଇଛି । ଏହି ୫ ଜଣଙ୍କୁ ନେଇ ଏବେ ନାନା ଆଲୋଚନା ଚାଲିଥିବା ବେଳେ ଏଠାରେ କାମ କରୁଥିବା ପିଅନ କୁଆଡେ ଏହି ନକଲି ଜାଲ ସାର୍ଟିଫିକେଟର ପୁରା କାର୍ପଟଦାର ବୋଲି ଖବର ମିଳିଛି । ମହାନଗର ନିଗମ ଠାରୁ ବିଭନ୍ନ ଅଫିସରେ କାମ କରୁଥିବା ତଳିଆ କର୍ମଚାରୀ ମାନଙ୍କୁ ଏହି ବାବୁ କୁଆଡେ ନକଲି ସାର୍ଟିଫିକେଟ ଯୋଗାଇ ସକାରଙ୍କୁ ଭୁଆଁ ବୁଲାଇ ସରକାରୀ ଚାକିରୀ କରିବାରେ ବହୁ ଲୋକଙ୍କୁ ସହାୟତା ଯୋଗାଇଥିବା କୁହାଯାଉଛି । ଅବସର ନେଇଥିବା ନକଲି ସାର୍ଟିଫିକେଟଧାରୀ ପୁଣି ନିଜ ଗୁରୁ ମାନଙ୍କୁ ଧରି ସ୍ଵଳ୍ପ ଦରମାରେ ଦୁହାଳିଆ ବିଭାଗରେ କାମ କରୁଥିବାର ଖବର ମିଳିଛି । ରାଉରକେଲା ମୁନିସିପାଲିଟିରୁ ମହାନଗର ହେଲା ଏନେଇ କେବେ ଯାଂଚ କରାଯାଇନଥିଲା। ରାଜ୍ୟରେ ନକଲି ସାର୍ଟିଫିକେଟ ରାକେଟ ପଦାକୁ ଆସିବା ପରେ ମହାନଗର ଅଂଚଳରେ କାମ କରୁଥିବା ଶିକ୍ଷକ ମାନଙ୍କର ସାର୍ଟିଫିକେଟ ଯାଂଚ କରାଯିବା ସହ ଅଣ୍ଡର ଟେକିଂ ମଧ୍ୟ ଆବଶ୍ୟକ ସ୍ଥଳେ ଶିକ୍ଷା ବିଭାଗ ଦ୍ଵାରା ଲେଖି ନିଆଯାଉଛି, ହେଲେ ମହାନଗର ନିଗମରେ ହୋଇଥିବା ଏଭଳି କାରବାରକୁ ନେଇ ଏଯାଏ ସମସ୍ତେ ଚୁପ । ଏଠାରେ ଜଣେ ଆଇଏଏସ ଅଧିକାରୀ କମିଶନର ରହିଛନ୍ତି, ଏଭଳି ଅଭିଯୋଗ ଆସିବା ପରେ ତୁରନ୍ତ ଏ ଦିଗରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ହେବା କଥା ବୋଲି କୁହାଯାଉଛି, କିନ୍ତୁ ଏଯାଏ ଏହି ମାମଲା ଉପରେ ସମସ୍ତେ ନିରବ ବୋଲି ଆଲୋଚନା ଚାଲିଛି ।
ଏନେଇ ରାଉରକେଲା ମହାନଗର ନିଗମ କମିଶନରଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯିବାରୁ କୌଣସି ଉତର ମିଳିନାହିଁ । ରାଜ୍ୟ ସରକାରଙ୍କ ବିଭାଗୀୟ ମୁଖ୍ୟ ଏ ଦିଗରେ ଦୃଷ୍ଟି ଦେଇ ମହାନଗର ନିଗମରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କର ହାଇସ୍କୁଲ ଠାରୁ ଉଚଶିକ୍ଷାର ସମସ୍ତ ସାର୍ଟିଫିକେଟ ଯାଂଚ କରିବା ଲାଗି ସାଧାରଣରେ ଦାବି ହେଉଛି ।