
ଗଞ୍ଜାମ, ଗଞ୍ଜାମ ଜିଲ୍ଲାରେ ବାଲ୍ୟ ବିବାହ ଏକ ସମ୍ବେଦନଶିଳ ପ୍ରସଙ୍ଗ ପାଲଟିଛି । ବିଭିନ୍ନ ସମୟରେ ବାଲ୍ୟ ବିବାହ ହେଉଥିବା ଖବର ପାଇ ପୋଲିସ ଓ ଜିଲ୍ଲା ପ୍ରଶାସନ ଟିମ୍ ସେଠାରେ ଚଢ଼ଉ କରି ଏହାକୁ ବନ୍ଦ କରୁଛନ୍ତି । ଗତ ୪ ବର୍ଷ ମଧ୍ୟରେ ୮୦୫ ବାଲ୍ୟ ବିବାହକୁ ପ୍ରଶାସନ ତରଫରୁ ରୋକାଯାଇଛି । ୨୦୨୨ ଜାନୁଆରୀ ମାସରେ ଗଞ୍ଜାମକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ବୋଲି ପ୍ରଶାସନ ଘୋଷଣା କରିଥିଲା । କିନ୍ତୁ, ସେହିବର୍ଷ ପ୍ରଶାସନ ୩୩୧ଟି ବାଲ୍ୟବିବାହକୁ ବନ୍ଦ କରିଥିଲା । ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ୩୬ଟି ବାଲ୍ୟବିବାହ ବନ୍ଦ କରାଯାଇଛି । ଗଞ୍ଜାମ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା ସତ୍ବେ ଏବେ ବି ଲୁଚାଛପାରେ ବାଲ୍ୟ ବିବାହ ଚାଲିଛି । ଏହି ପ୍ରସଙ୍ଗକୁ ନେଇ ବ୍ରହ୍ମପୁର ସହରର ଯୁବ ସାମାଜିକ କର୍ମୀ ରବିନ୍ଦ୍ର କୁମାର ମିଶ୍ର ନାଶନାଲ କମିଶନ ଫର ପ୍ରୋଟେକ୍ସନ ଅଫ ଚାଇଲ୍ଡ ରାଇଟସ୍ (ଏନସିପିସିଆର) ନିକଟରେ ଏକ ଆବେଦନ ଦାୟର୍ କରିଛନ୍ତି । ଏହି ଆବେଦନ ଜରିଆରେ ଗଞ୍ଜାମ ଜିଲ୍ଲାରେ ବାଲ୍ୟବିବାହ ପ୍ରଥା ରୋକିବା ଦିଗରେ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ତଥା ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଛନ୍ତି । ସେହିପରି ଶିଶୁ ମାନଙ୍କର ଅଧିକାର ସୁରକ୍ଷା ଦିଗରେ ମଧ୍ୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଶ୍ରୀ ମିଶ୍ର ଅନୁରୋଧ କରିଛନ୍ତି ।